ମୁମ୍ବାଇରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଯୋଜନା, ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ମେସେଜ୍ | News Room Odisha

ମୁମ୍ବାଇରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଯୋଜନା, ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ମେସେଜ୍

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖାଦେଇଛି | ପଡ଼ୋଶୀ ଦେଶ ପାକିସ୍ତାନରୁ ଏପରି ଧମକ ଆସିଛି। ମୁମ୍ବାଇ ଉପରେ ପୁଣି ୨୬/୧୧ ଭଳି ଆକ୍ରମଣ କରାଯିବ ବୋଲି ମୁମ୍ବାଇ ଟ୍ରାଫିକ ନିୟନ୍ତ୍ରଣ ପୋଲିସକୁ ହ୍ବାଟସଆପରେ ଧମକ ଦିଆଯାଇଛି । ଏହାଛଡ଼ା ଏହି ହ୍ବାଟସଆପ୍ ବାର୍ତ୍ତାରେ କିଛି ସନ୍ଦିଗ୍ଧଙ୍କ ଫଟୋ ଏବଂ ନମ୍ବର ମଧ୍ୟ ସେୟାର କରାଯାଇଛି ।

ଏହି ଧମକପୂର୍ଣ୍ଣ ବାର୍ତ୍ତା ପରେ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି । ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ପୋଲିସ କମିଶନର ବିବେକ ଫନ୍ସଲକର ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତକାଲି ରାତିରେ ମୁମ୍ବାଇର ଟ୍ରାଫିକ ପୋଲିସ ନିୟନ୍ତ୍ରଣକୁ କିଛି ମେସେଜ୍ ଆସିଆସିଥିଲ, ଯେଉଁଥିରେ ଆତଙ୍କବାଦ ଆକ୍ରମଣ ନେଇ ଧମକ ଦିଆଯାଉଥିଲା। ଆସିଥିବା ମେସେଜରେ ଧମକ ଦେଉଥିବା ବ୍ୟକ୍ତିଙ୍କ କିଛି ସହଯୋଗୀ ମଧ୍ୟ ଭାରତରେ ସକ୍ରିୟ ଥିବା ଉଲ୍ଲେଖ କରାଯାଇଥିଲା।

ପୋଲିସ କମିଶନର କହିଛନ୍ତି ଯେ, ମୁମ୍ବାଇ ପୋଲିସ ଏହି ମାମଲାକୁ ହାଲୁକା ଭାବେ ନେବ ନାହିଁ, ଆମେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛୁ। ଆମେ କୌଣସି ସମ୍ଭାବନାକୁ ବି ଏଡ଼ାଇବା ଚାହୁଁ ନାହୁଁ। ଆମେ ‘ସାଗର କବଚ୍’ ଅଭିଯାନ ଆରମ୍ଭ କରିଛୁ ଏବଂ ସାମୁଦ୍ରିକ ସୀମା ସୁରକ୍ଷିତ କରିବାକୁ ଏଜେନ୍ସିମାନଙ୍କୁ ସତର୍କ କରିଛୁ।

କମିଶନର୍ ବିବେକ ଫନ୍ସଲକର କହିଛନ୍ତି ଯେ ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ବାର୍ତ୍ତା ପାକିସ୍ତାନରୁ ଆସିଛି, ସେହି ନମ୍ବର ଟ୍ରାକ୍ ପାଇଁ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ଏବଂ ୱର୍ଲିରେ ଏନେଇ ଏକ ମାମଲା ରୁଜୁ ହୋଇଛି। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ତଥ୍ୟ ଅଛି, ଆମେ ଏହାକୁ ଏଟିଏସ୍ ମହାରାଷ୍ଟ୍ର ସହିତ ସେୟାର କରୁଛୁ |