ଲକ୍ଷ୍ମୀପୁର ହିଂସା: କୃଷକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନାଁରେ ହତ୍ୟା ମାମଲା | News Room Odisha

ଲକ୍ଷ୍ମୀପୁର ହିଂସା: କୃଷକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନାଁରେ ହତ୍ୟା ମାମଲା

ଲକ୍ଷ୍ନୋ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି । ଏଥିରେ ଅନ୍ୟ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି । ଗତକାଲି ଲକ୍ଷ୍ମୀପୁରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କ ଉପରେ ଆଶିଷ ଜାଣିଶୁଣି ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୪ କୃଷକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ବ୍ୟାପକ ହିଂସା ଘଟିଥିଲା । କୃଷକମାନଙ୍କ ଆକ୍ରମଣରେ ତିନି ବିଜେପି କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଲକ୍ଷ୍ମୀପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ସେପଟେ ଲକ୍ଷ୍ମୀପୁରରେ ଆନ୍ଦୋଳନରତ କୃଷକଙ୍କୁ ଭେଟିବାକୁ ଯିବା ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ବାଟରେ ଅଟକାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ନେତା ରାକେଶ ଟିକାଏତ୍ ଲକ୍ଷ୍ମୀପୁରରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନିନ୍ଦା କରିଛନ୍ତି । ଏହାକୁ ହତ୍ୟା ବୋଲି ଅଭିହିତ କରିଛନ୍ତି ଟିକାଏତ୍ । ଅନ୍ୟପଟେ ନିଜ ପୁଅ ବିରୋଧରେ ହୋଇଥିବା ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପୁଅ ଘଟଣାସ୍ଥଳରେ ନଥିଲା ।