ମସ୍କଙ୍କ ବଡ଼ ଘୋଷଣା, ବଦଳିବ ଟ୍ବିଟରର ଲୋଗୋ ଓ ନାଁ | News Room Odisha

ମସ୍କଙ୍କ ବଡ଼ ଘୋଷଣା, ବଦଳିବ ଟ୍ବିଟରର ଲୋଗୋ ଓ ନାଁ

ନ୍ୟୁୟର୍କ: ଟ୍ବିଟରର ରିବ୍ରାଣ୍ଡିଂ ନେଇ ବଡ଼ ଘୋଷଣା କରିଛନ୍ତି ଏଲନ୍ ମସ୍କ । ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଲୋଗୋ ସହ ନାମ ବି ବଦଳିବ। ଆଇକନିକ ‘ନୀଳ ଚଢ଼େଇ’ ଲୋଗୋ ହଟିବ। ଟ୍ୱିଟର ମାଲିକ ମସ୍କଙ୍କ ଘୋଷଣା ଅନୁଯାୟୀ ନୀଳ ଚଢ଼େଇ ବଦଳରେ ଏବେ ଟ୍ୱିଟରର ନୂଆ ଲୋଗୋ ‘X’ ହେବ। ଏହାଛଡ଼ା ଟ୍ବିଟରର ନୂଆ ନାମ ବି ‘X’ ରଖାଯିବ । ମସ୍କ ଟ୍ୱିଟରର କମାଣ ସମ୍ଭାଳିବା ପରଠୁ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ହୋଇଛି। ଟ୍ବିଟରର ନୂଆ ଲୋଗୋ ୟୁଜରଙ୍କୁ ଶୀଘ୍ର ଦେଖାଯିବ ବୋଲି ମସ୍କ କହିଛନ୍ତି ।

ଏହି ମାଇକ୍ରୋ ବ୍ଲଗିଂ ୱେବସାଇଟକୁ ଏବେ ‘X’ କୁହାଯିବ ବୋଲି ଟ୍ୱିଟର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ତାଙ୍କ କହିବାନୁସାରେ, ଏହା ଏକ ‘ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)’ ଚାଳିତ ପ୍ଲାଟଫର୍ମ ହେବ । ଏଥିରେ ଅଡିଓ, ଭିଡିଓ, ମେସେଜିଂ, ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ୍, ଅନଲାଇନ୍ ସପିଂ ଭଳି ସୁବିଧା ମଧ୍ୟ ଉପଲବ୍ଧ ହେବ ।

ମସ୍କ ରବିବାର X ଲୋଗୋର ଏକ ଛୋଟ ଭିଡିଓ ପୋଷ୍ଟ କରିଥିଲେ | ଏହା ପରେ ଟ୍ୱିଟର ସ୍ପେସ୍ ଅଡିଓ ଚାଟରେ ଲୋଗୋ ପରିବର୍ତ୍ତନ ହେବ ବୋଲି ସଙ୍କେତ ଦେଇଥିଲେ |

ସୂଚନାଯୋଗ୍ୟ ଯେ ‘ମେଟା’ର ନୂଆ ସୋସିଆଲ ମିଡ଼ିଆ ଆପ୍ ‘ଥ୍ରେଡ୍ସ ଆସିବା ପରଠାରୁ ଟ୍ୱିଟର ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ଉଭା ସୋଇଛି। ଟ୍ୱିଟର ପରି ଇଣ୍ଟରଫେସ୍ ଥିବା ‘ଥ୍ରେଡ୍ସ’ ଦ୍ରୁତତମ ୧୦୦ ମିଲିୟନ୍ ଡାଉନଲୋଡ୍ ହୋଇଥିବା ଆପ୍ ହୋଇଥିଲା ।