ଟ୍ୱିଟରରେ ସମୂହ ଛଟେଇ ଆରମ୍ଭ କଲେ ମସ୍କ | News Room Odisha

ଟ୍ୱିଟରରେ ସମୂହ ଛଟେଇ ଆରମ୍ଭ କଲେ ମସ୍କ

ସାନ୍ ଫ୍ରାନ୍ସିସ୍କୋ: ଆମେରିକୀୟ ବ୍ୟବସାୟୀ ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିବା ପରଠୁ କମ୍ପାନୀରେ ଆମୂଳଚୁଳ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ।

ଏହି ପ୍ରକ୍ରିୟାରେ ସେ ପ୍ରଥମେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ବାହାର କରିଥିଲେ | ଏବେ ମସ୍କଙ୍କ ଟିମ୍ ଶୁକ୍ରବାର କମ୍ପାନୀରେ ସମୂହ ଛଟେଇ ଆରମ୍ଭ କରିଛନ୍ତି । ଟ୍ବିଟରର ମୋଟ ୭୫୦୦ କର୍ମଚାରୀଙ୍କ ମଧ୍ୟରୁ ମସ୍କ ଅଧାରୁ ଅଧିକ କର୍ମଚାରୀଙ୍କୁ ବିଦା କରିବା ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଟ୍ୱିଟର ଏହାର କର୍ମଚାରୀମାନଙ୍କୁ ଶୁକ୍ରବାର ଦିନ ଇମେଲ ମାଧ୍ୟମରେ ସେମାନଙ୍କ ଚାକିରୀ ସୁରକ୍ଷିତ କି ନୁହେଁ ତାହା ଜଣାଇଛି।

କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଇମେଲ ମାଧ୍ୟମରେ କହିଛି ଯେ ସେମାନେ ଶୁକ୍ରବାର ସକାଳ ୯ଟା (ଭାରତୀୟ ସମୟ ରାତି ୯:୩୦) ସୁଦ୍ଧା ଏହି ବିଷୟରେ ସୂଚନା ପାଇବେ।

ଏହି ଇମେଲରେ ଲେଖାଯାଇଛି, ‘ଟ୍ୱିଟରକୁ ଆହୁରି ଉନ୍ନତ କରିବା ପାଇଁ ଶୁକ୍ରବାର ଆମର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ କଡ଼ା ପ୍ରକ୍ରିୟା ଦେଇ ଗତି କରିବୁ।

ବର୍ତ୍ତମାନ କିଛି ସମୟ ପାଇଁ ଟ୍ବିଟର କାର୍ଯ୍ୟାଳୟ ବନ୍ଦ ରହିବ ଏବଂ ଟ୍ୱିଟର ସିଷ୍ଟମ ଏବଂ ଗ୍ରାହକଙ୍କ ଡାଟା ସହ ପ୍ରତ୍ୟେକ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆଇ-କାର୍ଡ ନିଷ୍କ୍ରିୟ କରିଦିଆଯାଇଛି, ତେଣୁ କାର୍ଯ୍ୟାଳୟରେ ପ୍ରବେଶ କରିବା ସମ୍ଭବ ହେବ ନାହିଁ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

ଟ୍ୱିଟର ଆହୁରି କହିଛି ଯେ ଯେଉଁ କର୍ମଚାରୀଙ୍କ ଚାକିରି ଯିବ ନାହିଁ ସେମାନଙ୍କ କାର୍ଯ୍ୟ କ’ଣ ହେବ ତାହା ଇମେଲରେ ସେମାନଙ୍କୁ ସୂଚିତ କରାଯିବ।

ଏବଂ ଯେଉଁ କର୍ମଚାରୀମାନଙ୍କର ଚାକିରି ଯିବ, ସେମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଇମେଲରେ ସୂଚନା ଦିଆଯିବ |