ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେବେ ମସ୍କ | News Room Odisha

ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେବେ ମସ୍କ

ନୂଆଦିଲ୍ଲୀ: ମାଲିକାନା ହତେଇବାର ମାତ୍ର ଦୁଇ ମାସ ମଧ୍ୟରେ ଆମେରିକୀୟ ଶିଳ୍ପପତି ଏଲନ ମସ୍କ ଟ୍ୱିଟରର ସିଇଓ ପଦ ଛାଡିବାକୁ ଘୋଷଣା କରିଛନ୍ତି। ଏନେଇ ସେ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।‌ ମସ୍କ ଲେଖିଛନ୍ତି ଯେ ସେ ଟ୍ୱିଟର ପାଇଁ ଜଣେ ନୂଆ ସିଇଓ ଖୋଜୁଛନ୍ତି। ଉପଯୁକ୍ତ ବ୍ୟକ୍ତି ମିଳିଗଲେ ମୁଁ ଏହି ପଦ ଛାଡିବି ଏବଂ କେବଳ ସଫ୍ଟୱେର୍ ଏବଂ ଇଞ୍ଜିନିୟରିଂ ସେବା ଚଳାଇବା ଜାରି ରଖିବି |

୧୯ ଡିସେମ୍ବରରେ ଏଲନ୍ ମସ୍କ ଟ୍ୱିଟରରେ ଏକ ସର୍ଭେ କରିଥିଲେ। ସେ ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେବା ଉଚିତ କି ବୋଲି ମସ୍କ ଏହି ସର୍ଭେରେ ଲୋକଙ୍କୁ ପଚାରିଥିଲେ । ଏହି ସର୍ଭେର ୫୮ ପ୍ରତିଶତ ୟୁଜର କହିଥିଲେ ଯେ ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିଦେବା ଉଚିତ । କେବଳ ୪୨ ପ୍ରତିଶତ ୟୁଜର ମସ୍କଙ୍କ ସମର୍ଥନ କରିଥିଲେ । ସର୍ଭେର ଫଳାଫଳ ମସ୍କ ସପକ୍ଷରେ ନଥିଲା। ଏହି ସର୍ଭେର ଫଳାଫଳ ଦେଖିବା ପରେ ବର୍ତ୍ତମାନ ମସ୍କ ଟ୍ୱିଟରର ସିଇଓ ପଦ ଛାଡିବାକୁ ଘୋଷଣା କରିଛନ୍ତି। ତେବେ ମସ୍କଙ୍କ ସ୍ଥାନରେ ଏହି ମାଇକ୍ରୋ ବ୍ଲଗିଂ ସାଇଟର ସିଇଓ କିଏ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ସିଇଓ ପଦ ଛାଡ଼ିଲେ ମଧ୍ୟ ମସ୍କ ଏହି ସୋସିଆଲ ମିଡ଼ିଆ କମ୍ପାନୀର ମାଲିକ ରହିବେ ।