ରାଜସ୍ଥାନ: ମୁସଲିମ ସମ୍ପ୍ରଦାୟର ଲୋକେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଫୁଲ ବର୍ଷା କଲେ, ସରବତ ବାଣ୍ଟିଲେ | News Room Odisha

ରାଜସ୍ଥାନ: ମୁସଲିମ ସମ୍ପ୍ରଦାୟର ଲୋକେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଫୁଲ ବର୍ଷା କଲେ, ସରବତ ବାଣ୍ଟିଲେ

କୋଟା (ରାଜସ୍ଥାନ) : ଦେଶର କେତେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ମଧ୍ୟରେ ରାଜସ୍ଥାନର କୋଟା ଅଞ୍ଚଳର ମୁସଲମାନମାନେ ସାମ୍ପ୍ରଦାୟିକ ସଦଭାବର ଉଦାହରଣ ସୃଷ୍ଟି କରିଛନ୍ତି । କୋଟାର ମୁସଲିମ ସମ୍ପ୍ରଦାୟର ଲୋକେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଫୁଲ ବର୍ଷା ଓ ସରବତ୍ ବଣ୍ଟନ କରି ସ୍ବାଗତ କରିଛନ୍ତି । ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସହରର ରାମଗଞ୍ଜ ମଣ୍ଡି ଖେରବାଦ୍ ଅଞ୍ଚଳ ଦେଇ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଯାଉଥିବା ବେଳେ ଅନେକ ମୁସଲମାନ ଯୁବକମାନେ ସାମ୍ପ୍ରଦାୟିକ ସଦଭାବର ବାର୍ତ୍ତା ଦେବା ସହ ନିଜର ପାରମ୍ପାରିକ ମାର୍ଶାଲ ଆର୍ଟ କୌଶଳ ପ୍ରଦର୍ଶନ କରିଥିଲେ ।

ଶନିବାର ସନ୍ଧ୍ୟାରେ ଖେରବାଦ୍ ଗାଁର ହନୁମାନ ମଣ୍ଡଳରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା ଏବଂ ମୁସଲିମ୍ ବହୁଳ ଅଞ୍ଚଳ ଦେଇ ପ୍ରାୟ ଦୁଇ କିଲୋମିଟର ଦୂରତା ଅତିକ୍ରମ ବେଳେ ବାଟରେ ଦୁଇଟି ମସଜିଦ ମଧ୍ୟ ପଡ଼ିଥିଲା। ଏହି ଶୋଭାଯାତ୍ରାରେ ସାମିଲ ଅଧିକାଂଶ ଲୋକ ଗୈରିକ ପୋଷାକ ପିନ୍ଧିଥିଲେ।

ତାହିର ଅହମ୍ମଦଙ୍କ ନେତୃତ୍ୱରେ ମୁସଲମାନମାନେ ଏହି ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ଫୁଲ ବର୍ଷା ସହ ଏଥିରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ଫୁଲମାଳ ପିନ୍ଧାଇ ଥିଲେ। ସେ ଏହି ଅଞ୍ଚଳର ଦୁଇଟି ମସଜିଦ ବାହାରେ ଷ୍ଟଲ ସ୍ଥାପନ କରି ଭକ୍ତମାନଙ୍କୁ ଥଣ୍ଡା ପାଣି ଏବଂ ସର୍ବତ୍ ବଣ୍ଟନ କରିଥିଲେ।

ରାମଗଞ୍ଜ ମଣ୍ଡିର ଏସଡିଏମ ରାଜେଶ ଡାଗା କହିଛନ୍ତି ଯେ ମୁସଲମାନମାନେ ସାନ୍ଧ୍ୟ ନମାଜ କରିବା ପରେ ମସଜିଦରୁ ଏହି ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ।

ଏହି ଶୋଭାଯାତ୍ରା ପୂର୍ବରୁ ପ୍ରଶାସନ ମୁସଲିମ ଏବଂ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲା ବୋଲି ଏସଡିଏମ କହିଛନ୍ତି। ସେ କହିଛନ୍ତି ଯେ ମୁସଲମାନମାନେ ଏହି ଶୋଭାଯାତ୍ରାରେ ଉତ୍ସାହର ସହ ସ୍ୱାଗତ କରିଛନ୍ତି।