ଜୋକୋଭିକ୍‌, ଫେଡେରରଙ୍କୁ ଟପିଲେ ନାଡାଲ୍‌, ଅଷ୍ଟ୍ରେଲିଆନ୍ ଓପନ୍ ସହ ଜିତିଲେ ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍‌ | News Room Odisha

ଜୋକୋଭିକ୍‌, ଫେଡେରରଙ୍କୁ ଟପିଲେ ନାଡାଲ୍‌, ଅଷ୍ଟ୍ରେଲିଆନ୍ ଓପନ୍ ସହ ଜିତିଲେ ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍‌

ମେଲବୋର୍ଣ୍ଣ: ରାଫେଲ୍ ନାଡାଲ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି । ଏହା ତାଙ୍କ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି । ଏଥିସହ ନାଡାଲ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାରେ ତାଙ୍କର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ନୋଭାକ୍ ଜୋକୋଭିକ୍ ଓ ରୋଜର ଫେଡେରରଙ୍କୁ ପଛରେ ପକାଇଛନ୍ତି । ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲରେ ନାଡାଲ ରୁଷର ଡାନିଲ ମେଡଭେଡେଭଙ୍କୁ ୨-୬, ୬-୭ (୫-୭), ୬-୪, ୬-୪, ୭-୫ ସେଟରେ ହରାଇ ଏହି ରେକର୍ଡ କରିଛନ୍ତି । ପାଞ୍ଚ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଫାଇନାଲରେ ନାଡାଲ ପ୍ରଥମ ଦୁଇଟି ସେଟ୍ ହାରିଯାଇଥିଲେ । ହେଲେ ଏହି ସ୍ପେନୀୟ ସୁପରଷ୍ଟାର ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମେଡଭେଡେଙ୍କ ଧରାଶାୟୀ କରି ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାତେଇଥିଲେ । ଦୀର୍ଘ ଦିନ ଧରି ନାଡାଲ, ଜୋକୋଭିକ୍ ଓ ଫେଡେରର ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ଟାଇଟଲ ସହ ସମାନ ସ୍ଥିତିରେ ଥିଲେ । ଏବେ ନାଡାଲ ପୁରୁଷ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନାଡାଲ ୨୦୦୯ ପରେ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଟିକା ନିୟମ ଉଲ୍ଲଂଘନ ପାଇଁ ଜୋକୋଭିକଙ୍କ ଭିସା ରଦ୍ଦ ହେବାରୁ ଏହି ସର୍ବିୟା ଖେଳାଳି ଅଷ୍ଟ୍ରେଲିଆନ୍ ଓପନରୁ ବଞ୍ଚିତ ହୋଇଥିଲେ । ଫେଡେରର ମଧ୍ୟ ଆଘାତ ଜନିତ କାରଣରୁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିନଥିଲେ । ଏହି ଦୁଇ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ୨୧ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାକୁ ନାଡାଲଙ୍କ ପଥ ସହଜ ହୋଇଯାଇଥିଲା ।