କୁନୋ ଅଭୟାରଣ୍ୟରୁ ଆସିଲା ଖୁସି ଖବର, ଚାରି ଶାବକକୁ ଜନ୍ମ ଦେଲା ନାମିବ୍ୟାରୁ ଆସିଥିବା ମାଈ ଚିତା | News Room Odisha

କୁନୋ ଅଭୟାରଣ୍ୟରୁ ଆସିଲା ଖୁସି ଖବର, ଚାରି ଶାବକକୁ ଜନ୍ମ ଦେଲା ନାମିବ୍ୟାରୁ ଆସିଥିବା ମାଈ ଚିତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରୁ ଆଜି ଏକ ଖୁସି ଖବର ଆସିଛି । ସେପ୍ଟେମ୍ବରରେ ନାମିବ୍ୟାରୁ ଏଠାକୁ ଅଣାଯାଇଥିବା ଏକ ମାଈ ଚିତା ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଚାରିଟି ଶାବକକୁ ଜନ୍ମ ଦେଇଛି | ଏହି ଖବର ପରେ ସମଗ୍ର ଗ୍ୱାଲିଅର୍ ଚମ୍ବଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି | ଭାରତ ମାଟିରେ ଦୀର୍ଘ ୭୫ ବର୍ଷ ପରେ ଚିତା ଶାବକ ଜନ୍ମ ହୋଇଛି |

ସୂଚନାନୁସାରେ, ନାମିବ୍ୟାରୁ ଆସିଥିବା ମାଈ ଚିତା ସିୟାୟା ଗର୍ଭବତୀ ଥିଲା । ଜଙ୍ଗଲ ବିଭାଗର ଅଧିକାରୀ ଏବଂ ଡାକ୍ତରମାନେ ତା’ ଉପରେ ନଜର ରଖିଥିଲେ। ସିୟାର ପ୍ରତିଟି ଗତିବିଧି ଉପରେ କ୍ୟାମେରା ଦ୍ବାରା ନଜର ରଖାଯାଉଥିଲା | ଆଜି ସକାଳେ ସିୟାୟା ଚାରିଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ କଏଦ୍ ହୋଇଥିଲା । ଏହା ଜଣାପଡ଼ିବା ପରେ ଡାକ୍ତରୀ ଟିମ୍ ସହ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ତାକୁ ଠାବ କରିବାକୁ ଯାଇଥିଲେ।

ଭାରତର ମାଟିରେ ୭୫ ବର୍ଷ ପରେ ଚିତା ଛୁଆ ଜନ୍ମ ହେଇଛି। ତେବେ ଦୁଇ ଦିନ ତଳେ କିଡନୀ ରୋଗ ଯୋଗୁଁ ନାମିବ୍ୟାରୁ ଆସିଥିବା ଆଉ ଏକ ମାଈ ଚିତା ଶାଶାର ମୃତ୍ୟୁ ହୋଇଥିଲା । ତେବେ ଚାରି ଚିତା ଛୁଆର ଜନ୍ମ‌‌ ଏହି ଦୁଃଖକୁ ଦୂର କରିପାରିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ସେପ୍ଟେମ୍ବର ୧୭ରେ ଏକ ସ୍ୱତନ୍ତ୍ର ବିମାନରେ ଆଫ୍ରିକାର ନାମିବ୍ୟାରୁ ୮ଟି ଚିତା ଭାରତ ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ମଧ୍ୟପ୍ରଦେଶ କୁନୋ ଅଭୟାରଣ୍ୟର ବାଡ଼ ଭିତରେ ଛାଡିଥିଲେ। ଆଫ୍ରିକାରୁ ଆସିଥିବା ସେହି ପ୍ରଥମ ବ୍ୟାଚ୍ ଚିତା ମଧ୍ୟରେ ମାଈ ଚିତା ସିୟାୟା ଥିଲା । ପୁଣି ଫେବୃଆରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାବାଘଙ୍କୁ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା।