ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ବରିଷ୍ଠ ଆଦିବାସୀ ନେତା ନନ୍ଦ କୁମାର ସାଏ | News Room Odisha

ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ବରିଷ୍ଠ ଆଦିବାସୀ ନେତା ନନ୍ଦ କୁମାର ସାଏ

ରାୟପୁର: ଛତିଶଗଡର ଆଦିବାସୀ ନେତା ନନ୍ଦ କୁମାର ସାଏ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ରାୟପୁରରେ କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ସୋମବାର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଉପସ୍ଥିତିରେ ଦଳରେ ତାଙ୍କ ଯୋଗଦାନ ଘୋଷଣା କରାଯାଇଥିଲା।

୫୦ ବର୍ଷରୁ ଅଧିକ ସମୟ ଧରି ଜନସଂଘ ଓ ବିଜେପିରେ ରହିଥିବା ନନ୍ଦ କୁମାର ସାଏ ରବିବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।

ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ, “ଗତ କିଛି ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ମୋର ଭାବମୂର୍ତ୍ତି ଖରାପ କରିବା ଉଦ୍ଦେଶ୍ୟରେ ମୋ ନିଜ ଦଳର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଅଭିଯୋଗ ଏବଂ ଅନ୍ୟାନ୍ୟ ଗତିବିଧି ଦ୍ୱାରା ମୋର ସମ୍ମାନ ହାନି ହେଉଛି।”

ଦୁଇଥର ଲୋକସଭା ସାଂସଦ ତଥା ତିନିଥର ବିଧାୟକ ସାଏ ପୂର୍ବରୁ ଛତିଶଗଡ ଏବଂ ଅବିଭକ୍ତ ମଧ୍ୟପ୍ରଦେଶରେ ବିଜେପିର ରାଜ୍ୟ ସଭାପତି ରହିଆସିଛନ୍ତି। ଏହାଛଡ଼ା ସେ ଦୁଇଥର ରାଜ୍ୟସଭାର ସଦସ୍ୟ ମଧ୍ୟ ରହିଛନ୍ତି।