ଏଫ୍ଆଇଏଚ୍ ସଭାପତି ପଦରୁ ନରିନ୍ଦର ବାତ୍ରାଙ୍କ ଇସ୍ତଫା, ଆଇଓସି ସଦସ୍ୟତା ବି ଛାଡ଼ିଲେ | News Room Odisha

ଏଫ୍ଆଇଏଚ୍ ସଭାପତି ପଦରୁ ନରିନ୍ଦର ବାତ୍ରାଙ୍କ ଇସ୍ତଫା, ଆଇଓସି ସଦସ୍ୟତା ବି ଛାଡ଼ିଲେ

ନୂଆଦିଲ୍ଲୀ: ଭେଟେରାନ୍ କ୍ରୀଡା ପ୍ରଶାସକ ନରିନ୍ଦର ବାତ୍ରା ସୋମବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏହାଛଡ଼ା ସେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ଦିଲ୍ଲୀ ହାଇକୋର୍ଟ ହକି ଇଣ୍ଡିଆର ‘ଆଜୀବନ ସଦସ୍ୟ’ ପଦ ରଦ୍ଦ କରିବା ପରେ ବାତ୍ରାଙ୍କୁ ମେ ୨୫ରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ର ସଭାପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ବାତ୍ରା ହକି ଇଣ୍ଡିଆର ଆଜୀବନ ସଦସ୍ୟ ଭାବେ ୨୦୧୭ରେ ଆଇଓଏ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ |

ତିନୋଟି ଅଲଗା ପତ୍ର ମାଧ୍ୟମରେ ବାତ୍ରା ଆନୁଷ୍ଠାନିକ ଭାବରେ ଆଇଓଏ, ଆଇଓସି ଏବଂ ଏଫ୍ଆଇଏଚ୍ ପଦରୁ ଇସ୍ତଫା ଦେଇଛନ୍ତି |

ବାତ୍ରା ଏଆଇଏଚ୍ କାର୍ଯ୍ୟନିର୍ବାହୀ ବୋର୍ଡକୁ ଲେଖିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ମୁଁ ଏଫ୍ଆଇଏଚ୍ ସଭାପତି ପଦରୁ ମୋର ଇସ୍ତଫା ପତ୍ର ଦାଖଲ କରୁଛି।

ବାତ୍ରାଙ୍କ ଆଇଓସି ସଦସ୍ୟତା ତାଙ୍କ ଆଇଓଏ ଅଧ୍ୟକ୍ଷ ସହ ଜଡିତ ଥିଲା । କିନ୍ତୁ ଏଫ୍ଆଇଏଚ ସଭାପତି ପଦରୁ ତାଙ୍କ ଇସ୍ତଫା ଆଶ୍ଚର୍ଯ୍ୟଜନକ । କାରଣ ସେ ମେ ମାସରେ କହିଥିଲେ ଯେ ସେ ବର୍ତ୍ତମାନ ବିଶ୍ୱ ହକି ସଂସ୍ଥାରେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।