'ହିପୋକ୍ରାଟିକ୍ ଶପଥ' ପରିବର୍ତ୍ତେ ଡ଼ାକ୍ତରୀ ଛାତ୍ର ନେବେ 'ମହର୍ଷି ଚରକ' ଶପଥ ! ଜାତୀୟ ମେଡିକାଲ କମିଶନ କଲା ସୁପାରିସ | News Room Odisha

‘ହିପୋକ୍ରାଟିକ୍ ଶପଥ’ ପରିବର୍ତ୍ତେ ଡ଼ାକ୍ତରୀ ଛାତ୍ର ନେବେ ‘ମହର୍ଷି ଚରକ’ ଶପଥ ! ଜାତୀୟ ମେଡିକାଲ କମିଶନ କଲା ସୁପାରିସ

ନୂଆଦିଲ୍ଲୀ: ଏମବିବିଏସ ପାଠ୍ୟକ୍ରମର ନୂଆ ଛାତ୍ରଛାତ୍ରୀ ‘ହିପୋକ୍ରାଟିକ୍ ଶପଥ’ ପରିବର୍ତ୍ତେ ‘ମହର୍ଷି ଚରକ’ ଶପଥ ନେବା ପାଇଁ ଡ଼ାକ୍ତରୀ ଶିକ୍ଷା ନିୟାମକ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ସୁପାରିସ କରିଛି ।

ନୂଆ ଗାଇଡ ଲାଇନ୍ ଅନୁଯାୟୀ, ଡାକ୍ତରୀ ଶିକ୍ଷା ପାଇଁ ଭର୍ତ୍ତି ହେଉଥିବା ନୂଆ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ‘ମହର୍ଷି ଚରକ ଶପଥ’ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ନିର୍ଦ୍ଦେଶାବଳୀରେ ପ୍ରତିବର୍ଷ ଜୁନ୍ ୧୨ ରୁ ୧୦ ଦିନିଆ ଯୋଗ ‘ଫାଉଣ୍ଡେସନ୍ କୋର୍ସ’ ପାଇଁ ସୁପାରିଶ କରାଯାଇଛି, ଯାହା ଅନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ରେ ଶେଷ ହେବ |

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, “ଫାଉଣ୍ଡେସନ କୋର୍ସ ସମୟରେ ଯୋଗ ତାଲିମ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି | ପ୍ରତିବର୍ଷ ୧୨ ରୁ ୧୦ ଦିନ ମଧ୍ୟରେ ପ୍ରତିଦିନ ସର୍ବାଧିକ ଏକ ଘଣ୍ଟା ଯୋଗାଭ୍ୟାସ କରିବା ଏବଂ ଏହି ଯୋଗାଭ୍ୟାସ ଦେଶର ସମସ୍ତ ମେଡିକାଲ୍ ସ୍କୁଲରେ ଜୁନ୍ ୨୧ ରେ ପାଳନ ହେଉଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ଶେଷ ହେବ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସଂସଦରେ କହିଛନ୍ତି ଯେ ‘ମହର୍ଷି ଚରକ ଶପଥ’ ଇଚ୍ଛାଧୀନ ହେବ ଏବଂ ଏହା ଡାକ୍ତରୀ ଛାତ୍ରଙ୍କ ଉପରେ ବାଧ୍ୟତାମୂଳକ କରାଯିବ ନାହିଁ।

‘ଚରକ ଶପଥ’ ହେଉଛି ‘ଚରକ ସଂହିତା’ର ଏକ ଅଂଶ ଯାହା ସଂସ୍କୃତରେ ରଚିତ ଏବଂ ଆୟୁର୍ବେଦ ସହ ଜଡ଼ିତ | ଅନ୍ୟପକ୍ଷେ ହିପୋକ୍ରାଟିକ୍ ଶପଥ କିମ୍ବା ନୈତିକତା ସଂହିତାର ଶ୍ରେୟ ପ୍ରାଚୀନ ଗ୍ରୀକ୍ ଚିକିତ୍ସକ ହିପୋକ୍ରାଟସଙ୍କୁ ଦିଆଯାଏ । ଭାରତ ସମେତ ସମଗ୍ର ବିଶ୍ୱରେ ଡାକ୍ତରୀ ଛାତ୍ରଛାତ୍ରୀ ‘ହିପୋକ୍ରାଟିସ ଶପଥ’ ନେଇଥାନ୍ତି । ଡ଼ାକ୍ତରୀ ବୃତ୍ତି ସମ୍ପୂର୍ଣ୍ଣ ସେବା ମନୋଭାବ ଓ ନୈତିକତା ସହ କରିବା ପାଇଁ ଏମବିବିଏସ୍ ଛାତ୍ରଛାତ୍ରୀଙ୍କୁ ‘ହିପୋକ୍ରାଟିସ ଶପଥ’ ଦିଆଯାଇଥାଏ ।