ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବାସଭବନ ବାହାରେ ହୋଇଥିଲା 'ନାଟୁ ନାଟୁ' ଗୀତର ସୁଟିଂ | News Room Odisha

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବାସଭବନ ବାହାରେ ହୋଇଥିଲା ‘ନାଟୁ ନାଟୁ’ ଗୀତର ସୁଟିଂ

ନୂଆଦିଲ୍ଲୀ: ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ର ‘ନାଟୁ ନାଟୁ’ ଗୀତ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ଜିତି ଇତିହାସ ରଚିଛି | ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ‘ଆରଆରଆର’କୁ ଏହି ପୁରସ୍କାର ମିଳିଛି । ଏନେଇ ଭାରତୀୟ ସିନେପ୍ରେମୀ ଖୁସିରେ ଝୁମି ଉଠିଛନ୍ତି । ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନ, ରଜନୀକାନ୍ତ, କମଲ ହାସନ, ଏଆର୍ ରହମାନଙ୍କ ଭଳି ସିନେ ସେଲିବ୍ରିଟିଙ୍କ ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆରଆରଆର’ ଟିମକୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ପ୍ରଥମ ଚଳଚ୍ଚିତ୍ର ଭାବେ ‘ଆରଆରଆର’ ଏହି ସମ୍ମାନଜନକ ପୁରସ୍କାର ଜିତିଛି । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଏହି ଗୀତଟି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସରକାରୀ ବାସଭବନ ବାହାରେ ସୁଟିଂ କରାଯାଇଥିଲା ।

ୟୁକ୍ରେନ ଉପରେ ରୁଷ୍ ଆକ୍ରମଣର କିଛି ମାସ ପୂର୍ବରୁ ଜେଲେନସ୍କିଙ୍କ ସରକାରୀ ବାସଭବନ ମାରିନସ୍କି ପ୍ୟାଲେସ ବାହାରେ ଏହି ଟ୍ରାକର ସୁଟିଂ କରାଯାଇଥିଲା।

‘ନାଟୁ ନାଟୁ’ ଗୀତର ସୁଟିଂ ସମୟରେ କରୋନା ଭାଇରସ୍ କାରଣରୁ ଭାରତରେ ଲକଡାଉନ୍ ସହ କଡ଼ା କଟକଣା ଲାଗୁ ହୋଇଥିଲା । ଏହି କାରଣରୁ ଫିଲ୍ମର ନିର୍ମାତାମାନେ ୟୁକ୍ରେନରେ ଗୀତର ସୁଟିଂ କରିଥିଲେ। ଏହି ବିଷୟରେ ଏକ ସାକ୍ଷାତକାରରେ ଏସ୍ଏସ୍ ରାଜାମୌଲି କହିଥିଲେ ଯେ ‘ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜେ ଜଣେ ଟେଲିଭିଜନ ଅଭିନେତା । ସେଥିପାଇଁ ସେ ଏଠାରେ ଗୀତର ସୁଟିଂ ପାଇଁ ଆମକୁ ଅନୁମତି ଦେଇଥିଲେ |

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନାଟୁ-ନାଟୁକୁ ସୁଟିଂ କରିବା ପାଇଁ ୨୦ ଦିନ ସମୟ ଲାଗିଥିବାବେଳେ ଏହାର ସୁଟିଂ ୪୩ ରିଟେକରେ ଶେଷ ହୋଇଥିଲା | କେବଳ ଏତିକି ନୁହେଁ, ଗୀତଟିକୁ କୋରିଓଗ୍ରାଫ୍ କରିବାକୁ ଦୁଇ ମାସ ସମୟ ଲାଗିଥିଲା ​​| ନାଟୁ-ନାଟୁର କୋରିଓଗ୍ରାଫର୍ ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ ପାଇଁ ୧୧୦ଟି ମୁଭ୍ ପ୍ରସ୍ତୁତ କରିଥିଲେ, ଯାହା ପରେ ଉଭୟ ପ୍ରାୟ ଏକମାସ ଧରି ଅଭ୍ୟାସ କରିଥିଲେ |