ନବୀନ ସରକାରଙ୍କ ୫ମ ପାଳିର ୩ୟ ବର୍ଷ ପୂର୍ତ୍ତି: ରାଜନୈତିକ ଇତିହାସରେ ସ୍ୱର୍ଣ୍ଣିମ ଫର୍ଦ୍ଦ | News Room Odisha

ନବୀନ ସରକାରଙ୍କ ୫ମ ପାଳିର ୩ୟ ବର୍ଷ ପୂର୍ତ୍ତି: ରାଜନୈତିକ ଇତିହାସରେ ସ୍ୱର୍ଣ୍ଣିମ ଫର୍ଦ୍ଦ

ଭୁବନେଶ୍ବର : ଭାରତ ଭୂଖଣ୍ଡର ସବୁଠୁ ପବିତ୍ର ଉତ୍କଳ ଭୂମି ଓଡିଶାର ଇତିହାସ ଅତ୍ୟନ୍ତ ଗୌରବମୟ। ଏହାର ସାଂସ୍କୃତିକ ବିଭବ ଯେତିକି ମହନୀୟ, ଏହାର ପ୍ରାଚୀନ ପରମ୍ପରା ସେତିକି ସମୃଦ୍ଧ। ହେଲେ ପ୍ରାକୃତିକ ବିପର୍ଯ୍ୟୟ ସତେ ଯେମିତି ଏହି ମାଟିର ସହଚର ହୋଇ ଆସିଛି। କିନ୍ତୁ, ପ୍ରକୃତିର କୃର ତାଣ୍ଡବ କେତେ ଯେ ଭୟଙ୍କର ହୋଇପାରେ ତାହାକୁ ପ୍ରତିଫଳିତ କରିଥିଲା ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟା। ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ସୁନାର ଓଡିଶା। ହେଲେ ସେହି ଭୟଙ୍କର ବିପର୍ଯ୍ୟୟରେ ଅସଜଡା ହୋଇ ପଡିଥିବା ରାଜ୍ୟକୁ ପୁଣି ଦମ୍ଭର ସହିତ ଛିଡା କରାଇବାର ପ୍ରତିବଦ୍ଧତା ନେଇ ଶାସନ ଗାଦିକୁ ଆସିଥିଲେ କଳିଙ୍ଗ ବୀର ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ। ଆଉ ଏହାରି ଭିତରେ ୨୩ ବର୍ଷ ବିତିଯାଇଥିବା ବେଳେ ରାଜ୍ୟ ବହୁବାର ଅନେକ ପ୍ରଳୟଙ୍କରୀ ବାତ୍ୟା ସହ ଦୁର୍ବିପାକ ଓ ମହାମାରୀର ସାମ୍ନା କରିଛି। ହେଲେ ଏ ରାଜ୍ୟ ଏତେ ସଶକ୍ତ ହୋଇଛି ଯେ, କୌଣସି ବିପର୍ଯ୍ୟୟ ରାଜ୍ୟର ଭିତ୍ତିକୁ ଦୋହଲାଇ ପାରିନାହିଁ। ଏପରିକି ଶତାବ୍ଦୀର ସବୁଠୁ ବଡ ବିପର୍ଯ୍ୟୟ କୁହାଯାଉଥିବା କରୋନା ମହାମାରୀକୁ ଅଟଳ ମହାମେରୁ ପରି ସାମ୍ନା କରିବା ସହିତ ସମଗ୍ର ଦେଶବାସୀଙ୍କ ସୁରକ୍ଷାର ଭାର ଉଠାଇବାରେ ସକ୍ଷମ ହୋଇଛି। ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରିଥିବା ବେଳେ ଏ ସଫଳତା ଦେଶର ସବୁ ରାଷ୍ଟ୍ରନୀତିଜ୍ଞ ତଥା ରାଷ୍ଟ୍ରନେତାଙ୍କ ପାଇଁ ଅନୁକରଣୀୟ ହୋଇପାରିଛି। ନବୀନ ବାବୁଙ୍କ ଦକ୍ଷ ନେତତ୍ବ, ଗୋଷ୍ଠୀ ସହଭାଗିତା, ଦୃଢ ବିଶ୍ବାସ ଏବଂ ସୁଶାସନ ଆଜି ଓଡିଶାକୁ ବିକାଶର ଏକ ଅପ୍ରତିଦ୍ବନ୍ଦ୍ବୀ ଶିଖରକୁ ନେବାରେ ସଫଳ ହୋଇଛି।

୨୦୧୯ ମସିହା ଆଜିର ଦିନରେ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ନୂଆ ଇତିହାସ ସୃଷ୍ଟି କରି କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପଞ୍ଚମ ପାଳିକୁ ଗୋଟିଏ ବର୍ଷ ନ ପୁରୁଣୁ ବହୁତ ବଡ ବିପର୍ଯ୍ୟୟ ଭାବେ ମାଡି ଆସିଥିଲା କରୋନା ମହାମାରୀ। ଏହି ମହାମାରୀରେ ସାରା ବିଶ୍ବ ଥରହର ହେଉଥିଲା। ମୃତ୍ୟୁର ତାଣ୍ଡବ ରଚାଉଥିଲା ଏହି ମହାମାରୀ। ହେଲେ ନବୀନ ସରକାର ପ୍ରତି ବିପର୍ଯ୍ୟୟ ପରି ଏହାକୁ ବି ଅତି ଦାମ୍ଭିକତାର ସହ ସାମ୍ନା କରିଥିଲେ। ରାତାରାତି ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟସ୍ତରରେ ଏପରି ସ୍ବାସ୍ଥ୍ୟ ଭିତ୍ତିଭୂମି ଛିଡା ହୋଇଥିଲା ଯେ, ପଡୋଶୀ ରାଜ୍ୟର ଲୋକେ ଓଡିଶା ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲେ। ପ୍ରତି ଜିଲ୍ଲାସ୍ତରରେ ଏକାଧିକ କୋଭିଡ ହସପିଟାଲ ସହ ଶତାଧିକ ସଂଖ୍ୟାରେ ଆଇସିୟୁ ବେଡ୍ ଏବଂ ପ୍ରତି ପଞ୍ଚାୟତସ୍ତର ଯାଏ କୋଭିଡ୍ କେୟାର ସେଣ୍ଟର ବ୍ୟବସ୍ଥା କରିବାରେ ଓଡିଶା ପ୍ରଥମ ରାଜ୍ୟ ଥିଲା। ଏପରିକି ରାଜ୍ୟରେ ସମସ୍ତ ଆକ୍ରାନ୍ତଙ୍କୁ ସବୁ ସରକାରୀ ତଥା ସରକାରଙ୍କ ଦ୍ବାରା ପିପିପି ମୋଡ୍ ରେ ସ୍ଥାପିତ ହସପିଟାଲରେ ମାଗଣା କରୋନା ଚିକିତ୍ସା ଏକ ବହୁତ ବଡ ଉପଲବ୍ଧି ଥିଲା।

ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ଯେ, ଏହି ମହାମାରୀ ବେଳେ ସାରା ଦେଶରେ ଅକ୍ସିଜେନର ଗୁରୁତର ସଙ୍କଟ ସ୍ଥିତିକୁ ଜଟିଳ କରି ଦେଇଥିଲା। ଲୋକେ ଅକ୍ସିଜେନ୍ ଅଭାବରୁ ପୋକ ମାଛି ପରି ମରି ପଡୁଥିବା ବେଳେ ନବୀନ ପଟ୍ଟନାୟକ ସାରା ଦେଶକୁ ଅକ୍ସିଜେନ୍ ଯୋଗାଣର ପୀଡା ଉଠାଇ ଦେବଦୂତର ଭୂମିକା ନିର୍ବାହ କରିଥିଲେ। ଏହା ସାରା ଦେଶରେ ତାଙ୍କ ମହାନତାକୁ ପ୍ରତିପାଦିତ କରିଥିଲା। ତେବେ, ଦ୍ବିତୀୟ ବର୍ଷରେ ବି ଏହି ମହାମାରୀର ପ୍ରକୋପ ଲାଗି ରହିଥିବା ସତ୍ତ୍ବେ ଓଡିଶାର ବିକାଶ ଧାରା ପୁଣି ତାର ମୁଖ୍ୟ ସ୍ରୋତକୁ ଫେରି ଆସିଥିଲା।

ତେବେ, ଏହି ପଞ୍ଚମ ପାଳିର ପ୍ରାରମ୍ଭରୁ ନବୀନ ସରକାରର ବଡ ଉପଲବ୍ଧି ଭାବେ ଉଭା ହୋଇଥିଲା ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଶାସନିକ କଳକୁ ଲୋକଙ୍କ ନିକଟତର କରାଇବା ତଥା ଲୋକଙ୍କୁ ସୁବିଧାରେ ସେବା ଯୋଗାଇବା ଏବଂ ସରକାରୀ ଅଧିକାରୀ ତଥା କର୍ମଚାରୀଙ୍କ ଆଚରଣରେ ପରିବର୍ତ୍ତନ ଦିଗରେ ‘ମୋ ସରକାର’ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବର୍ତ୍ତମାନ ସାବ୍ୟସ୍ତ ହୋଇଛି। ପଞ୍ଚମ ମହତ ନୀତି (୫ଟି) ମନ୍ତ୍ରରେ ଅଭିଷିକ୍ତ ଏହି ମୋ ସରକାର ଇତିମଧ୍ୟରେ ସରକାରଙ୍କ ପ୍ରାୟ ସମସ୍ତ ବିଭାଗର କାର୍ଯ୍ୟଦକ୍ଷତାକୁ ଉଲ୍ଲେଖନୀୟ ଭାବେ ବିକଶିତ କରିବାରେ ସଫଳ ହୋଇଛି।

ପଞ୍ଚମ ପାଳିରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପର୍ଯ୍ୟଟନ ସହିତ ଭିତ୍ତିଭୂମି ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଏହି କ୍ଷେତ୍ରରେ ହାଇସ୍କୁଲ ରୂପାନ୍ତରଣ ଏକ ବଳିଷ୍ଠ ପଦକ୍ଷେପ ସାଜିଛି। ଏଥିରେ ରାଜ୍ୟର ଅଧିକାଂଶ ସରକାରୀ ହାଇସ୍କୁଲ ଦେଶର ବଡ ବଡ ସମ୍ଭ୍ରାନ୍ତ ଘରୋଇ ସ୍କୁଲର ଭିତ୍ତିଭୂମିକୁ ପଛରେ ପକାଇ ଦେଇଛି। ଆଉ ଏହି ସ୍କୁଲରେ ପାଠ ପଢୁଥିବା ଗରିବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ଦିଗରେ ଏହା ବହୁ ମାତ୍ରାରେ ସହାୟକ ହୋଇପାରିଛି।

ସେହିପରି ଗରିବ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ନବୀନ ସରକାର ଏହି ପାଳିରେ ଏକ ଯୁଗାନ୍ତକାରୀ ତଥା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ସରକାର ଭାବେ ଆରମ୍ଭ କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଅଗଷ୍ଟ ୧୫, ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ବିଏସ୍‌କେୱାଇ ଯୋଜନାରେ ଇତିମଧ୍ୟରେ ରାଜ୍ୟର ୭୧ ଲକ୍ଷରୁ ଅଧିକ ପରିବାରକୁ ସ୍ମାର୍ଟ କାର୍ଡ ମାଧ୍ୟମରେ ସ୍ବାସ୍ଥ୍ୟର ସୁରକ୍ଷା କବଚ ବଣ୍ଟା ଯାଇଛି। ଏଥିରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ସୁବିଧା ଦିଆଯାଇଛି। ଆଉ ଦେଶର ୨୦୦ରୁ ଅଧିକ ବଡ ବଡ ଡାକ୍ତରଖାନାରେ ଲୋକେ ମାଗଣାରେ ଏହି କାର୍ଡ ଦ୍ବାରା ଲକ୍ଷ ଲକ୍ଷ ଟଙ୍କାର ବ୍ୟୟବହୁଳ ଚିକିତ୍ସା ସେବା ପାଇପାରୁଛନ୍ତି। ଖାଲି ସେତିକି ନୁହେଁ ଗତ ଡିସେମ୍ବର ମାସରେ ରାଜ୍ୟର ଅପହଞ୍ଚ ଇଲାକାର ଲୋକଙ୍କୁ ଜରୁରୀ ମେଡିକାଲ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଦୁର୍ଗମ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଏୟାର ଆମ୍ବୁଲାନ୍ସ ଯୋଗେ କଟକ, ଭୁବନେଶ୍ବରର ଡାକ୍ତରଖାନାକୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଏହା ଗରିବଙ୍କ ପାଇଁ ଏକ ପ୍ରକାର ବରଦାନ ଭାବେ ଉଭା ହୋଇଛି।

ଏହି ପାଳିରେ ସରକାର ପର୍ଯ୍ୟଟନର ବିକାଶକୁ ବି ବିଶେଷ ପ୍ରାଥମିକତା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଧାର୍ମିକ ପର୍ଯ୍ୟଟନର ବିକାଶ ପାଇଁ ପୁରୀ ଶ୍ରୀମନ୍ଦିରର ବିକାଶ ପ୍ରକଳ୍ପକୁ ପ୍ରଥମେ ହାତକୁ ନିଆଯାଇଥିଲା। ଏହାପରେ ଭୁବନେଶ୍ବରର ମହାପ୍ରଭୁ ଲିଙ୍ଗରାଜ, କଟକ ଚଣ୍ଡୀ, କଣ୍ଟିଲୋର ନୀଳମାଧବ, ଜଗତସିଂହପୁରର ସାରଳା ପୀଠ ଏବଂ ସମ୍ବଲପୁରର ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ସମଲେଇ ପ୍ରକଳ୍ପ ହାତକୁ ନିଆଯାଇଛି। ତେବେ, ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାର ମାଁ ତାରାତାରିଣୀଙ୍କ ପୀଠର ବିକାଶ କାମ ସଂପୂର୍ଣ ହୋଇ ପ୍ରତିଷ୍ଠା ଉଦଯାପିତ ହୋଇସାରିଛି। ଏହି ମନ୍ଦିରର ରୂପାନ୍ତରଣ କାମ ୫ଟିର ସଫଳ ରୂପାୟନର ପ୍ରତିଫଳନ ଭାବେ ଛିଡା ହୋଇଛି।
ବର୍ତ୍ତମାନ ରାଜ୍ୟର କୋଭିଡ୍ ପରବର୍ତ୍ତୀ ବିକାଶ ଧାରା ସାରା ଦେଶର ପ୍ରଗତି ହାରକୁ ବି ଟପିଯାଇଛି। ଦେଶର ଅର୍ଥନୈତିକ ପ୍ରଗତି ହାର ଚଳିତ ଆର୍ଥିକ ବର୍ଷରେ ୮.୮ ପ୍ରତିଶତ ଥିବା ବେଳେ ରାଜ୍ୟର ଅର୍ଥନୈତିକ ପ୍ରଗତି ହାର ୧୦.୧ ପ୍ରତିଶତରେ ପହଞ୍ଚିଲାଣି। ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ମହାମାରୀର ପ୍ରକୋପ ଭିତରେ ରାଜ୍ୟ ସରକାର ୪.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଗ୍ରହଣ କରି ସାରିଥିବା ବେଳେ ଏଥିରେ ୧.୫୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ସେହିପରି ପର୍ଯ୍ୟଟନ ବିକାଶ ଦ୍ବାରା ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯାଉଛି। ସେହିପରି କ୍ରୀଡା କ୍ଷେତ୍ରରେ ଓଡିଶା ସମଗ୍ର ଦେଶ ତଥା ବିଦେଶରେ ଏକ ହବ୍ ଭାବେ ପରିଣତ ହେବାକୁ ଯାଉଛି। ଏହାବାଦ୍ ନବୀନ ସରକାର ପ୍ରଥମରୁ ହିଁ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇ ଆସିଥିବା ବେଳେ ଏହି ପାଳିରେ ବି ଏ ଦିଗରେ ବିଶେଷ ପଦକ୍ଷେପ ନିଆଯାଇଛି। ମିଶନ ଶକ୍ତି ଅଭିଯାନରେ ଏହାକୁ ସ୍ବତନ୍ତ୍ର ବିଭାଗରେ ପରିଣତ କରି ୪୯୭୩.୩୯ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ୬ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ୭0 ଲକ୍ଷରୁ ଅଧିକ ମହିଳା ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ବି ପ୍ରାଧାନ୍ୟ ଦେବାକୁ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଥିଲା। ଫଳରେ ଆଜି ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ପୌର ଏବଂ ପଞ୍ଚାୟତ ସଂସ୍ଥା ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି।

ସବୁଠୁ ବଡ କଥା ହେଲା ଯେ, ଏହି ସରକାର ଦୁର୍ନୀତିର ମୂଳୋତ୍ପାଟନକୁ ସର୍ବାଧିକ ଗୁରୁତ୍ବ ଦେଇ ଆସିଛି। ଏଥିପାଇଁ ବହୁ ସଂଖ୍ୟାରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନବୀନ ବାବୁ ଚାକିରିରୁ ବହିଷ୍କାର କରିସାରିଛନ୍ତି। ତାଙ୍କର ଦକ୍ଷ ନେତୃତ୍ବ, ଐତିହାସିକ ବିକାଶ ଏବଂ ନିରନ୍ତର ଲୋକଙ୍କ ସେବା ପାଇଁ ହିଁ ପ୍ରତି ନିର୍ବାଚନରେ ଓଡିଶାବାସୀ ଅକୁଣ୍ଠ ସମର୍ଥନ ଦେଇ ଆସିଛନ୍ତି। ଆଉ ନିକଟରେ ହୋଇଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ହିଁ ଏହାର ପ୍ରତିଫଳନ ବୋଲି କୁହାଯାଉଛି। ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୮୫୩ ଜିଲ୍ଲା ପରିଷଦରୁ ୭୬୬ ଜିଲ୍ଲା ପରିଷଦକୁ ବିଜେଡି ଦଖଲ କରିବାରେ ସଫଳ ହେବା ସମଗ୍ର ଦେଶରେ ବିରଳ। ସେହିପରି ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ମେୟର ପଦ ହାସଲ ସହିତ ରାଜ୍ୟର ୧୦୫ଟି ପୌର ସଂସ୍ଥାରୁ ବିଜେଡି ଏକାକୀ ୭୩ ସଂସ୍ଥାକୁ ନିଜ ଦଖଲରେ ନେଇପାରିଛି।

Chief Minister Naveen Patnaik