ନବୀନ ମନ୍ତ୍ରିମଣ୍ଡଳର ନବକଳେବର, ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେଲେ | News Room Odisha

ନବୀନ ମନ୍ତ୍ରିମଣ୍ଡଳର ନବକଳେବର, ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେଲେ

ଭୁବନେଶ୍ୱର: ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ନବୀନ ତାଙ୍କ ମନ୍ତ୍ରିମଣ୍ଡଳର ପୁନର୍ଗଠନ କରିଛନ୍ତି। ନିଜ ଟିମର ଆମୂଳଚୁଳ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରବିବାର ଲୋକସେବା ଭବନର କନଭେନସନ ହଲରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନବୀନଙ୍କ ନୂଆ ଟିମରେ ମୋଟ ୨୧ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ରହିଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ପାଞ୍ଚ ଜଣ ମହିଳାଙ୍କୁ ସ୍ଥାନ ମିଳିଛି ।

କ୍ୟାବିନେଟ ମନ୍ତ୍ରୀ ଭାବେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଶପଥ ନେଇଛନ୍ତି ।

ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାସ, ଅଶ୍ବିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ, ବାସନ୍ତୀ ହେମ୍ବ୍ରମ୍ ଶପଥ ନେଇଛନ୍ତି।

ନୂଆ ମନ୍ତ୍ରିମଣ୍ଡଳରେ ୯ ଜଣ ପୁରୁଣା ଚେହେରାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଏମାନେ ହେଲେ ନବକିଶୋର ଦାସ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ସମୀର ରଞ୍ଜନ ଦାଶ ଏବଂ ତୁଷାରକାନ୍ତି ବେହେରା। ସେହିପରି ୫ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ଉଷା ଦେବୀ ମଧ୍ୟ ଫେରିଛନ୍ତି ।

ସେହିପରି ମନ୍ତ୍ରିମଣ୍ଡଳରେ ୭ ନୂଆ ମୁହଁ ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡାଇ, ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମ୍‌ ।

ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ପରେ ଏବେ କାହାକୁ କେଉଁ ବିଭାଗ ମିଳିବ ତା’ଉପରେ ଏବେ ସମସ୍ତଙ୍କର ନଜର ରହିଛି।