'ଅନ୍ୟକୁ ଜେଲ୍ ନେଉଥିବା ଲୋକ ଏବେ ନିଜେ ଜେଲ୍ ଯିବାକୁ ଡରୁଛି..', ସମୀର ୱାଙ୍ଖେଡେଙ୍କ ପ୍ରତି ନଓ୍ବାବ ମଲିକଙ୍କ କଟାକ୍ଷ | News Room Odisha

‘ଅନ୍ୟକୁ ଜେଲ୍ ନେଉଥିବା ଲୋକ ଏବେ ନିଜେ ଜେଲ୍ ଯିବାକୁ ଡରୁଛି..’, ସମୀର ୱାଙ୍ଖେଡେଙ୍କ ପ୍ରତି ନଓ୍ବାବ ମଲିକଙ୍କ କଟାକ୍ଷ

ମୁମ୍ବାଇ: ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ଆର୍ୟନ ଖାନ ଡ୍ରଗ୍ସ ମାମଲାର ଯାଞ୍ଚ କରୁଛନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ବାବ ମଲିକ ତାଙ୍କ ବିରୋଧରେ ଅନେକ ସଙ୍ଗୀନ୍ ଅଭିଯୋଗ ଆଣି ତାଙ୍କୁ ଲଗାତାର ଟାର୍ଗେଟ କରିଆସୁଛନ୍ତି । କ୍ରୁଜ୍ ଡ୍ରଗ୍ସ ମାମଲାରେ
ଆର୍ୟନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିବା ପରେ ନଓ୍ବାବ ମଲିକ ପୁଣିଥରେ ସମୀର ୱାଙ୍ଖେଡେ ଉପରେ କଟାକ୍ଷ କରିଛନ୍ତି । ମଲିକ କହିଛନ୍ତି ଯେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଅନ୍ୟମାନଙ୍କୁ ଜେଲକୁ ନେଉଥିବା ବ୍ୟକ୍ତି ଏବେ ନିଜେ ଜେଲ୍ ଯିବାକୁ ଡରୁଛି।

ସେ କହିଛନ୍ତି ଯେ ଆପଣ ଦେଖୁଛନ୍ତି ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଛି। ଯେଉଁ ବ୍ୟକ୍ତି ଆର୍ଯ୍ୟନ୍ ଖାନଙ୍କୁ ଏନସିବି କାର୍ଯ୍ୟାଳୟକୁ ନେଇଥିଲେ, ସେ ନିଜେ ଜେଲ୍ ଯିବାକୁ ଭୟ କରୁଛନ୍ତି। ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟମାନଙ୍କୁ ଜାମିନ ପାଇବାରୁ ରୋକିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବର୍ତ୍ତମାନ ନିଜେ କୋର୍ଟଙ୍କ ନିକଟକୁ ଆସୁଛନ୍ତି।
ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାକୁ ଆସିଥିବା ସମୀର ୱାଙ୍ଖେଡେ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହେବାର ଆଶଙ୍କା ଥିବାରୁ ଆଇନଗତ ସୁରକ୍ଷା ପାଇଁ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । ଏହା ଉପରେ ମୁମ୍ବାଇ ପୋଲିସ ଗୁରୁବାର ଦିନ ବମ୍ବେ ହାଇକୋର୍ଟଙ୍କୁ କହିଛି ଯେ ସମୀର ୱାଙ୍ଖେଡେଙ୍କୁ ଗିରଫ କରିବାର ତିନି ଦିନ ପୂର୍ବରୁ ନୋଟିସ ଦିଆଯିବ ।

ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଲାଞ୍ଚ କାରବାର ଅଭିଯୋଗରେ ୱାଙ୍ଖେଡେଙ୍କ ବିରୋଧରେ ଏନସିବି ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ଏହି ମାମଲାରେ ମୁମ୍ବାଇ ପୋଲିସ ମଧ୍ୟ ୱାଙ୍ଖେଡେଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।