ନୱାବ ମଲିକଙ୍କ ପାଲଟା ଅଭିଯୋଗ, ଅଣ୍ଡରୱାର୍ଲ୍ଡର ଲୋକଙ୍କୁ ସରକାରୀ ପଦରେ ନିଯୁକ୍ତି ଦେଇଥିଲେ ଦେବେନ୍ଦ୍ର ଫଡନଭିସ, ଜାଲ୍ ନୋଟ୍ କାରବାରକୁ ଘଣ୍ଟ ଘୋଡାଇଥିଲେ | News Room Odisha

ନୱାବ ମଲିକଙ୍କ ପାଲଟା ଅଭିଯୋଗ, ଅଣ୍ଡରୱାର୍ଲ୍ଡର ଲୋକଙ୍କୁ ସରକାରୀ ପଦରେ ନିଯୁକ୍ତି ଦେଇଥିଲେ ଦେବେନ୍ଦ୍ର ଫଡନଭିସ, ଜାଲ୍ ନୋଟ୍ କାରବାରକୁ ଘଣ୍ଟ ଘୋଡାଇଥିଲେ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଓ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ବୁଧବାର ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ନୱାବ ମଲିକ, ଫଡନଭିସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମଲିକ କହିଛନ୍ତି ଯେ, ‘ଦେବେନ୍ଦ୍ର ଜୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଅଣ୍ଡରୱାର୍ଲ୍ଡର ଲୋକଙ୍କୁ ପ୍ରମୁଖ ସରକାରୀ ପଦପଦବୀରେ ନିଯୁକ୍ତ କରିଥିଲେ । ପ୍ରଥମେ ମୁନ୍ନା ଯାଦବଙ୍କ ଭଳି ଅଣ୍ଡରୱାର୍ଲ୍ଡ ଲିଙ୍କ୍ ଥିବା ଦାଗୀ ବ୍ୟକ୍ତିଙ୍କୁ ସେ ନିର୍ମାଣ ବୋର୍ଡର ଚେୟାରମ୍ୟାନ୍ ଭାବେ ନିଯୁକ୍ତି ଦେଇଥିଲେ। ଆଉ ଜଣେ ଦାଗୀ ହାୟଦାର ଆଜମଙ୍କୁ ମୌଲାନା ଅର୍ଥନୈତିକ ବୋର୍ଡର ଚେୟାରମ୍ୟାନ୍ କରାଯାଇଥିଲା। ଫଡନଭିସ୍ ମୁମ୍ବାଇରେ ବାଂଲାଦେଶୀ ନାଗରିକଙ୍କୁ ଥଇଥାନ କରିବା କାମ ବି କରୁଥିଲେ । ଏପରିକି ହାୟଦାର ଆଜମଙ୍କ ପତ୍ନୀ ବାଂଲାଦେଶୀ ବୋଲି ଅଭିଯୋଗ ହୋଇଥିଲେ ମଧ୍ୟ ସେ ଏହାର ତଦନ୍ତ କରିନଥିଲେ ବୋଲି ନଓ୍ବାବ୍ ମଲିକ ଅଭିଯୋଗ କରିଛନ୍ତି ।

ମଲିକ ଆହୁରି ଅଭିଯୋଗ କରିଛନ୍ତି ଯେ ଦେବେନ୍ଦ୍ର ଫଡନଭିସଙ୍କ ପୃଷ୍ଠପୋଷକତାରେ ମହାରାଷ୍ଟ୍ରରେ ନକଲି ନୋଟ ବ୍ୟବସାୟ ଚାଲିଥିଲା। ମଲିକ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ, ସେତେବେଳେ ସେ କହିଥିଲେ ଯେ କଳା ଟଙ୍କା ଏବଂ ଆତଙ୍କବାଦକୁ ବନ୍ଦ କରିବା ବ୍ୟତୀତ ନକଲି ନୋଟ କାରବାରର ଅନ୍ତ ଘଟିବ । ସେହି ସମୟରେ ସବୁ ରାଜ୍ୟରୁ ନକଲି ନୋଟ୍ ଉଦ୍ଧାର କରାଯାଇଥିଲା, କିନ୍ତୁ ମହାରାଷ୍ଟ୍ରରେ ନୁହେଁ।

ବିମୁଦ୍ରୀକରଣ ପରେ, ଅକ୍ଟୋବର ୮, ୨୦୧୭ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପୂରା ବର୍ଷେ ପର୍ଯ୍ୟନ୍ତ ନକଲି ନୋଟ୍ କାରବାରର ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିଲା। କାରଣ ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱରେ ନକଲି ନୋଟ୍ ର ଖେଳ ଚାଲିଥିଲା। ଅକ୍ଟୋବର ୮, ୨୦୧୭ରେ ଇଣ୍ଟେଲିଜେନ୍ସ ରେଭିନ୍ୟୁ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇ ୧୪ କୋଟି ୫୬ ଲକ୍ଷ ଟଙ୍କା ମୂଲ୍ୟର ନକଲି ନୋଟ୍ ଧରିଥିଲା । କିନ୍ତୁ ଫଡନଭିସ୍ ଏହି ମାମଲାକୁ ରଫାଦଫା କରି ଦେଇଥିଲେ। ଏହି ମାମଲାରେ ମୁମ୍ବାଇରୁ ଜଣେ, ପୁଣେରୁ ଇମ୍ରାନ ଆଲାମ ଶେଖ ନାମକ ଜଣେ ବ୍ୟକ୍ତି ଏବଂ ନଭି ମୁମ୍ବାଇରୁ ଜଣକୁ ଗିରଫ କରାଯାଇଥିଲା । କିନ୍ତୁ ୧୪ କୋଟି ୫୬ ଲକ୍ଷ ଜାଲ ନୋଟକୁ ୮ ଲକ୍ଷ ୮୦ ହଜାର ଟଙ୍କା ବୋଲି କହି ମାମଲା ଚାପି ଦିଆଯାଇଥିଲା ବୋଲି ମଲିକ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ ମଙ୍ଗଳବାର ଦେବେନ୍ଦ୍ର ଫଡନଭିସ ଏକ ସାମ୍ବାଦିକ ସମ୍ମିଳନୀରେ ନୱାବ ମଲିକଙ୍କ ବିରୋଧରେ ଅଣ୍ଡରୱାର୍ଲ୍ଡ ଲିଙ୍କ୍ ଅଭିଯୋଗ ଆଣିଥିଲେ । ମୁମ୍ବାଇ ବୋମା ବିସ୍ଫୋରଣର ଅଭିଯୁକ୍ତଙ୍କ ସହ ମଲିକଙ୍କ ସମ୍ପର୍କ ରହିଛି ବୋଲି ଫଡନଭିସ ଦାବି କରିଥିଲେ । ଫଡନଭିସଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ମଲିକ କହିଥିଲେ ଯେ ସେ ଏହି ବିଜେପି ନେତାଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କ୍ ର ପର୍ଦ୍ଦାଫାସ୍ କରିବେ ।