ମହାରାଷ୍ଟ୍ର ରାଜନୀତିରେ ହେବ ବଡ଼ ଧମାକା ! ୩୦ ଏନସିପି ବିଧାୟକଙ୍କ ସହ ବିଜେପି ସରକାରରେ ସାମିଲ ହୋଇପାରନ୍ତି ଅଜିତ ପାୱାର | News Room Odisha

ମହାରାଷ୍ଟ୍ର ରାଜନୀତିରେ ହେବ ବଡ଼ ଧମାକା ! ୩୦ ଏନସିପି ବିଧାୟକଙ୍କ ସହ ବିଜେପି ସରକାରରେ ସାମିଲ ହୋଇପାରନ୍ତି ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଧମାକା ହେବା ସମ୍ଭାବନା ରହିଛି | ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହୋଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ ଏନସିପିର ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ମଧ୍ୟ ଅଜିତ ପାୱାରଙ୍କୁ ସମର୍ଥନ ଜଣାଇଛନ୍ତି। ଏପରିକି ଅଜିତ ପାଓ୍ବାରଙ୍କ ଦାଦା ତଥା ଏନସିପି ମୁଖିଆ ଶରଦ ପାୱାର ମଧ୍ୟ ମୋଦୀ ସରକାରରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବୟାନ ଏପରି ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି । ସୁପ୍ରିୟା କହିଛନ୍ତି ଯେ ଆଗାମୀ ୧୫ ଦିନ ମଧ୍ୟରେ ଦୁଇଟି ବଡ଼ ରାଜନୈତିକ ଧମାକା ହେବ, ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମହାରାଷ୍ଟ୍ରରେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ବିଧାନସଭା ନିର୍ବାଚନ ପରେ ଯେତେବେଳେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ, ଅଜିତ ପାୱାର ଏନସିପିର ପାର୍ଟି ଲାଇନରୁ ଦୂରେଇ ଯାଇ ଫଡନଭିସଙ୍କ ସହ ଶପଥ ନେଇଥିଲେ। ତେବେ ୭୨ ଘଣ୍ଟା ମଧ୍ୟରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଫଡନଭିସଙ୍କ ସହ ତାଙ୍କର ଘନିଷ୍ଠତା କାହାକୁ ଅଛପା ନାହିଁ । ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାରେ ଏନସିପିର ମୋଟ ୫୩ ବିଧାୟକ ଅଛନ୍ତି | ଏଥିମଧ୍ୟରୁ ୩୦-୪୦ ବିଧାୟକ ଅଜିତ ପାୱାରଙ୍କ ସହ ସରକାରରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ଏଥିପାଇଁ ଏନସିପିର ଯେଉଁ ନେତାମାନେ ଅଜିତ ପାୱାରଙ୍କୁ ସମର୍ଥନ ଜଣାଇଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ପଟେଲ, ସୁନୀଲ ତଟକରେ, ଛଗନ୍ ଭୁଜବଲ୍, ଧନଞ୍ଜୟ ମୁଣ୍ଡେ ଭଳି ବଡ଼ ଚେହେରା ସାମିଲ ।