ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ୟୁଟ୍ୟୁବର ନୂଆ ସିଇଓ | News Room Odisha

ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ୟୁଟ୍ୟୁବର ନୂଆ ସିଇଓ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେବେ ଭିଡିଓ-ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବର ନୂଆ ସିଇଓ । ସେ ସୁଜାନ ୱୋଜିକ୍କିଙ୍କ ସ୍ଥାନ ନେବେ । ୱୋଜିକ୍କି ୟୁଟ୍ୟୁବ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ନୀଲ ମୋହନ ଏବେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଅଛନ୍ତି । ସେ ସୁଜାନ ୱୋଜିକ୍କିଙ୍କର ଦୀର୍ଘ ଦିନର ସହଯୋଗୀ ରହିଆସିଛନ୍ତି |

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, ଆଡୋବ ସିଇଓ ଶାନ୍ତନୁ ନାରାୟଣ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇଙ୍କ ସହ ଆମେରିକାର ବିଶ୍ବ ସ୍ତରୀୟ ପ୍ରତିଷ୍ଠିତ କମ୍ପାନୀ ଗୁଡ଼ିକରେ ଭାରତୀୟ ମୁଖ୍ୟଙ୍କ ତାଲିକାରେ ନୀଲ ମୋହନ ସାମିଲ ହୋଇଛନ୍ତି ।

ନୀଲ ମୋହନ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ସ୍ନାତକ କରିଛନ୍ତି । ଗୁଗୁଲ ଯେବେ ୨୦୦୭ରେ ଡବଲ୍ କ୍ଲିକ୍ ଅଧିଗ୍ରହଣ କରିଥିଲା ସେ ଏହି ଟେକ୍ କମ୍ପାନୀରେ ଯୋଗ ଦେଇ ସୁଜାନ ୱୋଜିକ୍କିଙ୍କର ଦୀର୍ଘ ଦିନର ସହଯୋଗୀ ରହିଥିଲେ। ମୋହନଙ୍କୁ ୨୦୧୫ରେ ୟୁଟ୍ୟୁବରେ ଚିଫ୍ ପ୍ରଡକ୍ଟ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା। ସେ ୟୁଟ୍ୟୁବରେ ଚିଫ୍ ପ୍ରଡକ୍ଟ ଅଫିସର ଭାବରେ ସର୍ଟସ୍, ମ୍ୟୁଜିକ୍ ଏବଂ ସବସ୍କ୍ରିପସନ୍ ଉପରେ ଫୋକସ କରିଥିଲେ | ନୀଲ ମୋହନ ମାଇକ୍ରୋସଫ୍ଟ ସହିତ ମଧ୍ୟ କାମ କରିଛନ୍ତି।

ଟିକଟକ୍ ଏବଂ ଫେସବୁକର ରିଲ୍ସ ଭଳି ସର୍ଟ ଫର୍ମ ଭିଡିଓ ସେବା ଏବଂ ନେଟଫ୍ଲିକ୍ସ ପରି ଷ୍ଟ୍ରିମିଂ ସେବା ମଧ୍ୟରେ ପ୍ରତିଯୋଗିତା ମଧ୍ୟରେ କ୍ରମାଗତ ଦ୍ୱିତୀୟ ତ୍ରୈମାସିକରେ ୟୁଟ୍ୟୁବର ବିଜ୍ଞାପନ ରାଜସ୍ୱ ହ୍ରାସ ପାଇଛି |

ସୁଜାନ ୱୋଜିକ୍କି ଏକ ଚିଠି ଲେଖି ୟୁଟ୍ୟୁବର ସିଇଓ ପଦରୁ ଇସ୍ତଫା ଘୋଷଣା କରିଥିଲେ। ସେ କହିଛନ୍ତି ଯେ ସେ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ସେ ତାଙ୍କ ପରିବାର, ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରିବେ |