ନୀରଜ ଚୋପ୍ରାଙ୍କ ପୁଣି ଏକ ମାଇଲଖୁଣ୍ଟ, ପ୍ରଥମ ଭାରତୀୟ ଭାବେ ଜିତିଲେ ସମ୍ମାନଜନକ ଡାଏମଣ୍ଡ ଲିଗ୍ ଟାଇଟଲ୍ | News Room Odisha

ନୀରଜ ଚୋପ୍ରାଙ୍କ ପୁଣି ଏକ ମାଇଲଖୁଣ୍ଟ, ପ୍ରଥମ ଭାରତୀୟ ଭାବେ ଜିତିଲେ ସମ୍ମାନଜନକ ଡାଏମଣ୍ଡ ଲିଗ୍ ଟାଇଟଲ୍

ଲୋସାନେ: ପୁଣି ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନୀରଜ ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଏମଣ୍ଡ ଲିଗର ଲୁସାନେ ପର୍ଯ୍ୟାୟରେ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି | ଏହା ସହ ସେ ୭ ଏବଂ ୮ ସେପ୍ଟେମ୍ବରରେ ଜୁରିକରେ ଡାଏମଣ୍ଡ ଲିଗ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଏଥିସହ ସେ ହଙ୍ଗେରୀର ବୁଡାପେଷ୍ଟରେ ୨୦୨୩ ବିଶ୍ୱ ଚାମ୍ପିଅନସିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି |

ଟାଇଟଲ୍ ହାସଲ କରିବାର ପ୍ରଥମ ପ୍ରୟାସରେ ୨୪ ବର୍ଷୀୟ ନୀରଜ ୮୯.୦୪ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ। ଏହା ତାଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ | ଚେକ୍ ରିପବ୍ଲିକର ଜାକୋବ ଭାଡଲେଜୋ ୮୫.୮୮ ର ଶ୍ରେଷ୍ଠ ଥ୍ରୋ ସହିତ ରୌପ୍ୟ ଏବଂ ଆମେରିକୀୟ କାର୍ଟିସ୍ ଥମ୍ପସନ୍ ୮୩.୭୨ ମିଟର ଶ୍ରେଷ୍ଠ ଥ୍ରୋ ସହିତ ବ୍ରୋଞ୍ଜ ଜିତିଥିଲେ |

ଆହତ କାରଣରୁ ନୀରଜ ଚୋପ୍ରା ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବଞ୍ଚିତ ହୋଇଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ଜିତିଥିଲେ। ବିଶ୍ବ ଚାମ୍ପିୟନସିପ ଫାଇନାଲ ବେଳେ ନୀରଜ ଆହତ ମଧ୍ୟ ହୋଇଥିଲେ | ଆଘାତ ସମସ୍ୟାରୁ ସୁସ୍ଥ ହେବା ପରେ ଡାଏମଣ୍ଡ ଲିଗ୍ ନୀରଜଙ୍କ ପ୍ରଥମ ଇଭେଣ୍ଟ ଥିଲା।

ହରିୟାଣାର ପାନିପତରୁ ଆସିଥିବା ଚୋପ୍ରା ପ୍ରଥମ ଡାଏମଣ୍ଡ ଲିଗ୍ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଚୋପ୍ରାଙ୍କ ପୂର୍ବରୁ ଡିସ୍କସ୍ ଥ୍ରୋଭର ବିକାଶ ଗୌଡ଼ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ଡାଏମଣ୍ଡ ଲିଗ୍ ମିଟ୍ ର ଶ୍ରେଷ୍ଠ ତିନିରେ ରହିଥିଲେ ।