ପୁଣି କମାଲ କଲେ ନୀରଜ, ପ୍ରଥମ ଭାରତୀୟ ଭାବେ ଜିତିଲେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ; ଓଡ଼ିଆ ଖେଳାଳି କିଶୋର ଜେନା ପଞ୍ଚମ | News Room Odisha

ପୁଣି କମାଲ କଲେ ନୀରଜ, ପ୍ରଥମ ଭାରତୀୟ ଭାବେ ଜିତିଲେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ; ଓଡ଼ିଆ ଖେଳାଳି କିଶୋର ଜେନା ପଞ୍ଚମ

ବୁଦାପେଷ୍ଟ: ଗୋଲଡେନ ବୟ ନୀରଜ ଚୋପ୍ରା ପୁଣି ରଚିଛନ୍ତି ଇତିହାସ । ଅଲିମ୍ପିକ୍ ଚାମ୍ପିୟନ ନୀରଜ ଏବେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ରବିବାର ପୁରୁଷ ଜାଭେଲିନ୍ ଇଭେଣ୍ଟରେ ୮୮.୧୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି |

ଓଡ଼ିଆ ଜାଭେଲିନ ଖେଳାଳି କିଶୋର ଜେନା ମଧ୍ୟ ପଦାର୍ପଣ ବିଶ୍ଵ ଚାମ୍ପିୟନସିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଥ୍ରୋ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଆଉ ଜଣେ ଭାରତୀୟ ଖେଳାଳି ଡିପି ମନୁ ୮୪.୧୪ ମିଟର ଶ୍ରେଷ୍ଠ ଥ୍ରୋ ସହ ଷଷ୍ଠ ସ୍ଥାନ ହାସଲ କରିଥିଲେ | ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନସିପରେ ତିନିଜଣ ଭାରତୀୟ ଟପ୍-୬ରେ ରହିଛନ୍ତି।

୨୫ ବର୍ଷୀୟ ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହେବା ପରେ ଦ୍ୱିତୀୟ ଉଦ୍ୟମରେ ସେ ୮୮.୧୭ ମିଟର ସହ ଫାଇନାଲର ସର୍ବଶ୍ରେଷ୍ଠ ଥ୍ରୋ କରିଥିଲେ | ଏହା ପରେ ସେ ୮୬.୩୨ ମିଟର, ୮୪.୮୬ ମିଟର, ୮୭.୭୩ ମିଟର ଏବଂ ୮୩.୯୮ ମିଟର ଫିଙ୍ଗିଥିଲେ |

ପାକିସ୍ତାନର ଅର୍ଶଦ ନଦୀମ ସିଜନରେ ନିଜ ଶ୍ରେଷ୍ଠ ୮୭.୮୨ ମିଟର ଦୂରତା ସହ ରୌପ୍ୟ ପଦକ ଜିତିଥିଲେ । ଚେକ୍ ରିପବ୍ଲିକର ଜାକୁବ ଭାଲେଚ ବ୍ରୋଞ୍ଜ ପାଇଥିଲେ । ତାଙ୍କ ଶ୍ରେଷ୍ଠ ଥ୍ରୋ ଥିଲା ୮୬.୬୭ ମିଟର |

ଏକକାଳୀନ ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନସିପ୍ ଜିତିବାରେ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ । ବିନ୍ଦ୍ରା ୨୩ ବର୍ଷ ବୟସରେ ବିଶ୍ୱ ଚାମ୍ପିୟନସିପ୍ ଏବଂ ୨୫ ବର୍ଷ ବୟସରେ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତିଥିଲେ |

ନୀରଜ ପ୍ରଥମ ଭାରତୀୟ ଭାବେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଏହାଛଡ଼ା ସେ ୨୦୨୨ ବିଶ୍ୱ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିବାରେ ବି ପ୍ରଥମ ଭାରତୀୟ ଥିଲେ |

ଏ‌ହା ପୂର୍ବରୁ ୨୦୦୩ ବିଶ୍ୱ ଚାମ୍ପିୟନସିପ୍‌ ଲମ୍ଫ ଜମ୍ପର୍ ଅଞ୍ଜୁ ବବି ଜର୍ଜ ବ୍ରୋଞ୍ଜ ପଦକ ଜିତିଥିଲେ।

ଏକକାଳୀନ ଅଲିମ୍ପିକ୍ ଏବଂ ବିଶ୍ୱ ଟାଇଟଲ୍ ଜିତିବାରେ ନୀରଜ ଚୋପ୍ରା ବିଶ୍ୱର ତୃତୀୟ ଜାଭେଲିନ୍ ଥ୍ରୋୟର | ତାଙ୍କ ପୂର୍ବରୁ ଚେକ୍ ରିପବ୍ଲିକର କିମ୍ବଦନ୍ତୀ ଜନ ଜେଲେଜ୍ନି ଏବଂ ନରୱେର ଆଣ୍ଡ୍ରିଆସ୍ ଟି ଏପରି ସଫଳତା ହାସଲ କରିଥିଲେ | ଜେଲେଜ୍ନି ୧୯୯୨, ୧୯୯୬ ଏବଂ ୨୦୦୦ରେ ଅଲିମ୍ପିକ୍ ଟାଇଟଲ୍ ଜିତିଥିବାବେଳେ ୧୯୯୩, ୧୯୯୫ ଏବଂ ୨୦୦୧ରେ ବିଶ୍ୱ ଚାମ୍ପିୟନସିପ ଜିତିଥିଲେ | ଆଣ୍ଡ୍ରିଆସ୍ ୨୦୦୮ ଅଲିମ୍ପିକ୍ସ ଏବଂ ୨୦୦୯ ବିଶ୍ୱ ଚାମ୍ପିଅନସିପ୍ ଜିତିଥିଲେ |

ବର୍ତ୍ତମାନ ନୀରଜ ଚୋପ୍ରାଙ୍କ ଟ୍ରଫି କ୍ୟାବିନେଟ ସମ୍ପୂର୍ଣ୍ଣ ହୋଇଛି । ତାଙ୍କ ପାଖରେ ଏବେ ସବୁ ପ୍ରମୁଖ ଟାଇଟଲ୍ ଅଛି । ଏହି ସୁପରଷ୍ଟାର ଆଥଲେଟ୍ ଏସୀୟ କ୍ରୀଡ଼ା (୨୦୧୮), ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୮) ଓ ଅଲିମ୍ପିକ୍ (୨୦୨୧) ସ୍ୱର୍ଣ୍ଣ ବ୍ୟତୀତ ଚାରି ଡାଏମଣ୍ଡ ଲିଗ୍ ଟାଇଟଲ୍ ଏବଂ ଗତ ବର୍ଷ ଡାଏମଣ୍ଡ ଲିଗ୍ ଚାମ୍ପିଅନ୍ ଟ୍ରଫି ଜତିଥିଲେ ।

ହରିୟାଣା ପାନିପତର ଏହି ଆଥଲେଟ୍ ୨୦୧୬ରେ ଜୁନିୟର ଵିଶ୍ବ ଚାମ୍ପିୟନ୍ ହୋଇଥିଲେ ଏବଂ ୨୦୧୭ରେ ଏସୀୟ ଚାମ୍ପିୟନସିପ୍ ଟାଇଟଲ୍ ଜିତିଥିଲେ |