ଆଜି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନେଫ୍ୟୁ ରିଓ, ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ | News Room Odisha

ଆଜି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନେଫ୍ୟୁ ରିଓ, ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ

କୋହିମା: ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନେଫ୍ୟୁ ରିଓ ଆଜି ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେବେ । ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଏନଡିପିପି) ନେତା ନେଫ୍ୟୁ ରିଓ ସୋମବାର (ମାର୍ଚ୍ଚ ୬) ସନ୍ଧ୍ୟାରେ ସରକାର ଗଠନ ପାଇଁ ଦାବି କରିଥିଲେ।

ଫେବୃଆରୀ ୨୭ରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ୬୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ​​୪୦-୨୦ ଫର୍ମୁଲାରେ ଏନଡିପିପି-ବିଜେପି ଏକାଠି ନିର୍ବାଚନ ଲଢ଼ିଥିଲେ । ଏନଡିପିପି-ବିଜେପି ମେଣ୍ଟ ୩୭ଟି ଆସନ ଜିତି କ୍ରମାଗତ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲା ।

ନେଫ୍ୟୁ ରିଓ ସୋମବାର ସନ୍ଧ୍ୟାରେ ରାଜ୍ୟପାଳ ଲା ଗଣେଶନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ମଙ୍ଗଳବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ। ନାଗାଲାଣ୍ଡରେ ପ୍ରଥମ ଥର ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ମନ୍ତ୍ରୀମାନେ ଯୋଗ ଦେବେ। କଡ଼ା ସୁରକ୍ଷା ମଧ୍ୟରେ ନେଫ୍ୟୁ ରିଓଙ୍କ ନେତୃତ୍ୱାଧୀନ ଏନଡିପିପି-ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ଏଠାରେ ଥିବା କ୍ୟାପିଟାଲ କଲଚୁରାଲ ହଲରେ ଅନୁଷ୍ଠିତ ହେବ।