କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ ସୀତା ଦହଲଙ୍କ ବୁଧବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ନେପାଳ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅକ୍ସିଜେନ କମିଯିବା ପରେ ବୁଧବାର ସକାଳେ ତାଙ୍କୁ କାଠମାଣ୍ଡୁର ନରଭିକ୍ ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନିଆଯାଇଥିଲା।
ଡାକ୍ତରଖାନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ସୀତା ଦହଲଙ୍କ ରକ୍ତଚାପ ବଢ଼ି ଯାଇଥିଲା ଏବଂ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି। ବୁଧବାର (ଜୁଲାଇ ୧୨) ସକାଳ ୮ ଟାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ ସୀତା ଦହଲ ଦୀର୍ଘ ଦିନ ଧରି ଡାଇବେଟିସ୍ ମେଲିଟସ୍-୨ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ଥିଲେ।
୨୦୨୧ରେ ସୀତା ଦହଲଙ୍କ ଚିକିତ୍ସା ଭାରତରେ ହୋଇଥିଲା। ସେ ୨୦୨୦ରେ ଆମେରିକାର ବାଲ୍ଟିମୋର ଜନ୍ ହପକିନ୍ସ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହୋଇଥିଲେ। ଏହା ପୂର୍ବରୁ ଜୁନ୍ ୨୦୧୮ ରେ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁରକୁ ନିଆଯାଇଥିଲା।
ପ୍ରଧାନମନ୍ତ୍ରୀ ଦହଲଙ୍କ ସଚିବାଳୟ ତରଫରୁ ଜାରି ସୂଚନା ଅନୁଯାୟୀ ଶେଷ ଦର୍ଶନ ପାଇଁ ସୀତା ଦହଲଙ୍କ ମୃତଦେହକୁ କୋଟେଶ୍ୱର ସ୍ଥିତ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଦିନ ଗୋଟାଏ ପର୍ଯ୍ୟନ୍ତ ରଖାଯିବ। ଅପରାହ୍ନ ୨ଟାରେ ପଶୁପତି ଆର୍ଯ୍ୟଘାଟରେ ଅନ୍ତିମ ସଂସ୍କାର ହେବ ।