ମିଳିଲା ନୂଆ କରୋନା ଭାଇରସ୍ 'ନିଓକୋଭ', ମଣିଷ ଦେହକୁ ଡେଇଁଲେ ମୃତ୍ୟୁର ତାଣ୍ଡବ ରଚିବ | News Room Odisha

ମିଳିଲା ନୂଆ କରୋନା ଭାଇରସ୍ ‘ନିଓକୋଭ’, ମଣିଷ ଦେହକୁ ଡେଇଁଲେ ମୃତ୍ୟୁର ତାଣ୍ଡବ ରଚିବ

ଉହାନ୍: ବିଶ୍ୱ କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ଏକ ନୂଆ କରୋନା ଭାଇରସର ଆବିର୍ଭାବ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି । କରୋନାର ଉତ୍ପତ୍ତି ସ୍ଥଳ ଚୀନର ଉହାନ ସହରର ବୈଜ୍ଞାନିକମାନେ ହିଁ ଏହି ନୂଆ କରୋନା ଭାଇରସକୁ ଆବିଷ୍କୃତ କରିଛନ୍ତି ଏବଂ ଏହା ସବୁଠାରୁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି । ଏହି ନୂଆ ଭାଇରସ୍ ‘ନିଓକୋଭ’ ଭାବେ ନାମିତ କରାଯାଇଛି। କରୋନାର ଅପେକ୍ଷା ‘ନିଓକୋଭ’ ଅଧିକ ସଂକ୍ରାମକ ଏବଂ ଘାତକ ବୋଲି କୁହାଯାଇଛି । ମଣିଷ ଦେହକୁ ଡେଇଁଲେ ଏହା ମୃତ୍ୟୁର ତାଣ୍ଡବ ରଚିପାରେ । ଏଥିରେ ସଂକ୍ରମିତ ୩ ରୋଗୀଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ସୁନିଶ୍ଚିତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ନୂଆ ଷ୍ଟ୍ରେନ୍ ମିଳିଛି। ତେବେ ‘ନିଓକୋଭ’ ଏପର୍ଯ୍ୟନ୍ତ ମଣିଷଙ୍କ ମଧ୍ୟରେ ବ୍ୟାପି ନାହିଁ।

ରୁଷର ନ୍ୟୁଜ୍ ଏଜେନ୍ସି ସ୍ପୁଟ୍ନିକ୍ ରିପୋର୍ଟ ଅନୁଯାୟୀ ‘ନିଓକୋଭ’ ୨୦୧୨ ଏବଂ ୨୦୧୫ରେ ପ୍ରଥମେ ମଧ୍ୟପ୍ରାଚ୍ୟ ଏସିଆରେ ଚିହ୍ନଟ ହୋଇଥିଲା | ଏହା SARS-CoV-2 ସହିତ ସମାନ, ଯାହା ମଣିଷକୁ ଆକ୍ରାନ୍ତ କରିଥାଏ | ଦକ୍ଷିଣ ଆଫ୍ରିକାରେ ଏହି ନିଓକୋଭ୍ ଭାଇରସ୍ ବାଦୁଡିଙ୍କ ଠାରେ ଦେଖା ଯାଇଛି ଏବଂ ଏହି ଭୂତାଣୁ ଏବେ କେବଳ ପଶୁମାନଙ୍କ ଶରୀରରେ ମିଳିଛି ।

ଏକ ଅନୁସନ୍ଧାନ ଅନୁଯାୟୀ, ନିଓକୋଭ୍ ଏବଂ ଏହାର ଉପ ଭାଇରସ୍ PDF-2180-CoV ମଣିଷକୁ ସଂକ୍ରମିତ କରିପାରେ | ଉହାନ ୟୁନିଭରସିଟି ଏବଂ ଚାଇନା ଏକାଡେମୀ ଅଫ୍ ସାଇନ୍ସର ଗବେଷକଙ୍କ ଅନୁଯାୟୀ, ଏହି ନୂଆ କରୋନା ଭୂତାଣୁ ମାନବ କୋଷକୁ ସଂକ୍ରମିତ କରିବା ପାଇଁ କେବଳ ଗୋଟିଏ ମ୍ୟୁଟେସନ ଆବଶ୍ୟକ କରୁଛି। ଅନୁସନ୍ଧାନରୁ ଜଣାପଡିଛି ଯେ ନିଓକୋଭ୍ ସଂକ୍ରମଣ ଓ ମୃତ୍ୟୁର ତୀବ୍ରତା ବଢ଼ାଇପାରେ |

ନିଓକୋଭ ଠାରେ ବର୍ତ୍ତମାନର SARS-CoV-2 କରୋନାର ଗୁଣ ରହିଛି ଯାହା ଏହାକୁ ଅତ୍ୟଧିକ ସଂକ୍ରାମକ କରିଥାଏ | ଏହି ପରିପ୍ରେକ୍ଷୀରେ ରୁଷର ସରକାରୀ ଭାଇରୋଲୋଜି ରିସର୍ଚ୍ଚ ସେଣ୍ଟର ଏକ ବିବୃତ୍ତି ଜାରି କରି କହିଛି ଯେ କରୋନା ଭୂତାଣୁ ଉପରେ ଚାଇନାର ଗବେଷକଙ୍କ ଦ୍ବାରା ସଂଗୃହିତ ତଥ୍ୟ ଆଧାରରେ ନିଓକୋଭକୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏହା ମଣିଷକୁ ସଂକ୍ରମିତ କରିବାରେ ସକ୍ଷମ ନୁହେଁ | ତଥାପି ଏହାର ବିପଦକୁ ଦୃଷ୍ଟିରେ ରଖି ଅଧିକ ଅଧ୍ୟୟନ ଆବଶ୍ୟକ |