୯୧ ତମ ପ୍ରତିଷ୍ଠା ଦିବସରେ ବାୟୁସେନାର ନୂଆ ପତାକା ଉନ୍ମୋଚିତ | News Room Odisha

୯୧ ତମ ପ୍ରତିଷ୍ଠା ଦିବସରେ ବାୟୁସେନାର ନୂଆ ପତାକା ଉନ୍ମୋଚିତ

ନୂଆଦିଲ୍ଲୀ: ଆଜି ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବାୟୁସେନାର ନୂଆ ପତାକା ଉନ୍ମୋଚିତ ହୋଇଛି । ୭୨ ବର୍ଷ ପରେ ବାୟୁସେନା ପତାକା ବଦଳିଛି । ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଭି.ଆର ଚୌଧୁରୀ ଏହି ନୂଆ ପତାକାକୁ ଉନ୍ମୋଚନ କରିଛନ୍ତି ।

ବାୟୁସେନାର ୯୧ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସମସ୍ତ ଭାରତୀୟ ବାୟୁସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବାୟୁସେନା ରବିବାର ସକାଳେ ପ୍ରୟାଗରାଜର ବାମରୌଲି ବାୟୁସେନା ଷ୍ଟେସନରେ ସ୍ବତନ୍ତ୍ର ପରେଡ୍ ସହ ୯୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି ।

ପୁରୁଣା ପତାକା ବଦଳିବା ପରେ ଏହାକୁ ସେଣ୍ଟ୍ରାଲ ଏୟାର କମାଣ୍ଡ ସଂଗ୍ରହାଳୟରେ ସୁରକ୍ଷିତ ରଖାଯିବ। ସ୍ଵାଧୀନତା ପରେ ୧୯୫୧ରେ ବାୟୁସେନା ପତାକା ପ୍ରସ୍ତୁତ କରାଯାଇଥିଲା। ତେବେ ଏଥିରେ ବ୍ରିଟିଶ ଯୁଗର ଛାପ ରହିଥିବାରୁ ଏହାକୁ ବଦଳାଯାଇଛି । ବର୍ତ୍ତମାନର ନୂଆ ପତାକାର ରଙ୍ଗ ନୀଳ | ଏହାର ଉପର ବାମ ପାର୍ଶ୍ୱରେ ତ୍ରିରଙ୍ଗା ଥିବାବେଳେ ଡାହାଣ ପାର୍ଶ୍ଵରେ ବାୟୁସେନାର ଗୋଲାକାର ପ୍ରତୀକ ରହିଛି ।