ଆଜିଠାରୁ ବଦଳିଲା ଏହି ସବୁ ନିୟମ | News Room Odisha

ଆଜିଠାରୁ ବଦଳିଲା ଏହି ସବୁ ନିୟମ

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହୋଇଥିବା ବେଳେ କିଛି ନିୟମରେ ପରିବର୍ତ୍ତନ ହୋଇଛି ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିପାରେ | କ୍ରେଡିଟ୍ ଏବଂ ଡେବିଟ୍ ଠାରୁ ଆରମ୍ଭ କରି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ, ଟିସିଏସ୍ ନିୟମ ଆଦି ବଦଳିଛି | ଆଜିଠାରୁ କେଉଁ ନିୟମ ବଦଳିଛି ଆସନ୍ତୁ ଜାଣିବା..

କମର୍ସିଆଲ ଗ୍ୟାସ ସିଲିଣ୍ଡର ମହଙ୍ଗା :

ନୂଆ ମାସ ଆରମ୍ଭ ସହିତ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। ଅକ୍ଟୋବର ୧ରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି । ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୯ କିଲୋଗ୍ରାମର ଗ୍ୟାସ୍ ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେବ | ଚେନ୍ନାଇରେ କମର୍ସିଆଲ ଏଲପିଜି ୧୬୯୫ ଟଙ୍କା, ମୁମ୍ବାଇରେ ୧୬୮୪ ଏବଂ କୋଲକାତାରେ ୧୬୩୬ ଟଙ୍କା ହୋଇଛି ।

ଏଟିଏଫ୍ ମୂଲ୍ୟରେ ବୃଦ୍ଧି:

ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ବିମାନ ଇନ୍ଧନ ମୂଲ୍ୟରେ ବି ବୃଦ୍ଧି କରିଛନ୍ତି ସରକାର | ଯାହା ଫଳରେ ଏବେ ବିମାନ ଯାତ୍ରା ଆହୁରି ମହଙ୍ଗା ହୋଇଯିବ । ଦିଲ୍ଲୀରେ ସମ୍ପ୍ରତି ଏଟିଏଫ ୫.୫୦ ପ୍ରତିଶତ ମୂଲ୍ୟରେ କିଲୋମିଟର ପିଛା ୧,୧୮,୧୯୯.୧୭ ଟଙ୍କାରେ ବିକ୍ରି ହେଉଛି।

ପ୍ରାକୃତିକ ଗ୍ୟାସ ମୂଲ୍ୟ ବି ବଢ଼ିଲା:

ଘରୋଇ ପ୍ରାକୃତିକ ଗ୍ୟାସର ଦାମ୍ ମଧ୍ୟ ଆଜିଠାରୁ ବୃଦ୍ଧି ପାଇଛି। ଏହା ପରେ ବିଦ୍ୟୁତ୍, ଇସ୍ପାତ, ପେଟ୍ରୋକେମିକାଲ୍ ଏବଂ ସାର ଭଳି କ୍ଷେତ୍ରର ମୂଲ୍ୟ ବୃଦ୍ଧି ହୋଇପାରେ।

କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ନିୟମ ବଦଳିଲା:

ଆଜିଠାରୁ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ନିୟମରେ ବଡ଼ ପରିବର୍ତ୍ତନ ହୋଇଛି | ରିଜର୍ଭ ବ୍ୟାଙ୍କ ଏଣିକି ଗ୍ରାହକଙ୍କୁ ନିଜ କାର୍ଡର ନେଟୱାର୍କ ପ୍ରୋଭାଇଡରଙ୍କୁ ଚୟନ କରିବାକୁ ସୁବିଧା ଦେଇଛି । ପୂର୍ବରୁ ଏହା କେବଳ କାର୍ଡ ପ୍ରଦାନକାରୀ ବ୍ୟାଙ୍କ କିମ୍ବା କମ୍ପାନୀ ଦ୍ୱାରା ଚୟନ କରାଯାଉଥିଲା । କିନ୍ତୁ ଆଜିଠାରୁ ଗ୍ରାହକମାନେ ମଧ୍ୟ ଏହି ସ୍ୱାଧୀନତା ପାଇବେ | କାର୍ଡ ପ୍ରଦାନ ସମୟରେ କିମ୍ବା ଏହା ପରେ ମଧ୍ୟ ଆପଣ ନିଜ ପସନ୍ଦର ନେଟୱାର୍କ ପ୍ରୋଭାଇଡର ଚୟନ କରିପାରିବେ |

ଟିସିଏସ୍ ନିୟମରେ ପରିବର୍ତ୍ତନ:

ଯଦି ଆପଣ ବିଦେଶ ଭ୍ରମଣ କରନ୍ତି କିମ୍ବା ବିଦେଶୀ ଷ୍ଟକ୍, ମ୍ୟୁଚୁଆଲ୍ ଫଣ୍ଡ, ବିଦେଶୀ କ୍ରିପ୍ଟୋକରେନ୍ସିରେ ନିବେଶ କରନ୍ତି, ତେବେ ଆପଣଙ୍କ ପାଇଁ ଏହି ସୂଚନା ଗୁରୁତ୍ୱପୂର୍ଣ୍ଣ | ଶିକ୍ଷା ଏବଂ ଚିକିତ୍ସା ଖର୍ଚ୍ଚ ବ୍ୟତୀତ, ଆପଣଙ୍କୁ ବର୍ତ୍ତମାନ ୭ ଲକ୍ଷରୁ ଅଧିକ ମୂଲ୍ୟର ସମସ୍ତ ଆନ୍ତର୍ଜାତୀୟ ଟଙ୍କା ରେମିଟାନ୍ସ ଉପରେ ୨୦% ପର୍ଯ୍ୟନ୍ତ ଟିସିଏସ୍ ଦେବାକୁ ପଡ଼ିବ । ଆଜିଠାରୁ (ଅକ୍ଟୋବର ୧) ଏହି ନିୟମ ଲାଗୁ ହୋଇଛି |

କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ ପାଇଁ ଆଧାର ଜରୁରୀ:

ଆଜିଠାରୁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ ପାଇଁ ଆଧାର ବାଧ୍ୟତାମୂଳକ ହୋଇଛି। ପିପିଏଫ୍, ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଆଦି କ୍ଷୁଦ୍ର ସଞ୍ଚୟ ଯୋଜନା ପାଇଁ ଆଧାର ତଥ୍ୟ ଦେବାକୁ ପଡ଼ିବ । ଏପରି ନ କଲେ ଆଜିଠାରୁ ଏହି ସବୁ ସଞ୍ଚୟ ଯୋଜନା ଅନ୍ତର୍ଗତ ଆକାଉଣ୍ଟ ଫ୍ରିଜ୍ ହୋଇଯିବ ।

ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ:

ଆଜିଠାରୁ ବିଭିନ୍ନ କାର୍ଯ୍ୟ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ପ୍ରମାଣପତ୍ର ଭାବେ ବ୍ୟବହାର କରାଯିବ । ସ୍କୁଲ, କଲେଜରେ ଆଡମିଶନ, ସରକାରୀ ଚାକିରି, ଡ୍ରାଇଭିଂ ଲାଇସେନ୍ସ ଆଦି ପାଇଁ କେବଳ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ ହେବ ।