ଦିଲ୍ଲୀର ଶିକ୍ଷା ମଡେଲ୍ ଉପରେ ରିପୋର୍ଟକୁ 'ପେଡ୍ ନ୍ୟୁଜ୍' ବୋଲି ବିଜେପିର ଅଭିଯୋଗ ପରେ ନ୍ୟୁୟର୍କ ଟାଇମ୍ସ ରଖିଲା ଜବାବ | News Room Odisha

ଦିଲ୍ଲୀର ଶିକ୍ଷା ମଡେଲ୍ ଉପରେ ରିପୋର୍ଟକୁ ‘ପେଡ୍ ନ୍ୟୁଜ୍’ ବୋଲି ବିଜେପିର ଅଭିଯୋଗ ପରେ ନ୍ୟୁୟର୍କ ଟାଇମ୍ସ ରଖିଲା ଜବାବ

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀର ଶିକ୍ଷା ମଡେଲ୍ ଉପରେ ପ୍ରକାଶିତ ରିପୋର୍ଟକୁ ବିଜେପି ‘ପେଡ୍ ନ୍ୟୁଜ୍’ ବୋଲି କହିବା ପରେ ଏହି ଖବରକାଗଜ ବର୍ତ୍ତମାନ ଏହାର ଜବାବ ରଖିଛି । ନ୍ୟୁୟର୍କ ଟାଇମ୍ସ ଏହି ଅଭିଯୋଗକୁ ଖଣ୍ଡନ କରି ଏହି ଖବର ବିଜ୍ଞାପନ ନୁହେଁ ବରଂ କେବଳ ରିପୋର୍ଟିଂ ଆଧାରରେ ପ୍ରକାଶ କରାଯାଇଛି ବୋଲି ଏହି ଖବରକାଗଜ କହିଛି ।

ନ୍ୟୁୟର୍କ ଟାଇମ୍ସର ମୁଖପାତ୍ର ନିକୋଲ ଟାଇଲର କହିଛନ୍ତି ଯେ ଆମର ରିପୋର୍ଟ ନିରପେକ୍ଷ ଏବଂ ଗ୍ରାଉଣ୍ଡ ରିପୋର୍ଟ ଉପରେ ଆଧାରିତ।

ଆମେରିକୀୟ ଖବରକାଗଜ କହିଛି ଯେ ଶିକ୍ଷା ହେଉଛି ଏକ ପ୍ରସଙ୍ଗ ଯାହା ଉପରେ ଆମେ ବର୍ଷ ବର୍ଷ ଧରି ଖବର ପ୍ରକାଶ କରିଆସୁଛୁ ଏବଂ ଆମର ସାମ୍ବାଦିକତା ସର୍ବଦା ନିରପେକ୍ଷ ।

ଦିଲ୍ଲୀର ଶିକ୍ଷା ମଡେଲ ଉପରେ ରିପୋର୍ଟ ନ୍ୟୁୟର୍କ ଟାଇମ୍ସ ଏବଂ ୟୁଏଇର ଖବରକାଗଜ ‘ଖଲିଜ ଟାଇମ୍ସ’ରେ ପ୍ରକାଶିତ ହୋଇଥିଲା। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ବିଷୟରେ ସୂଚନା ଦେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ସରକାରଙ୍କ ଏକ ସଫଳତା ବୋଲି କହିଥିଲେ। କିନ୍ତୁ ବିଜେପି ଅଭିଯୋଗ କରିଥିଲା ଯେ ଦିଲ୍ଲୀର ଆମ୍ ଆଦମୀ ସରକାର ଟଙ୍କା ଦେଇ ଉଭୟ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଏହା ଏକ ‘ପେଡ୍ ନ୍ୟୁଜ୍’ ବୋଲି ବିଜେପି କହିଥିଲା ।

ତେବେ ବିଜେପିର ଏହି ଅଭିଯୋଗକୁ ନ୍ୟୁୟର୍କ ଟାଇମ୍ସ ଖଣ୍ଡନ କରିଛି । ଦିଲ୍ଲୀ ଶିକ୍ଷା ମଡେଲ ଓ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଶଂସା କରି ନ୍ୟୁୟର୍କ ଟାଇମ୍ସରେ ଶୁକ୍ରବାର ଏହି ଖବର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ସଂଯୋଗ ବଶତଃ, ଗତକାଲି ହିଁ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ବାସଭବନରେ ଚଢ଼ାଉ କରି ୧୪ ଘଣ୍ଟା କାଳ ଛାନଭିନ୍ କରିଥିଲା ।