କନଓ୍ବେ-ରବୀନ୍ଦ୍ରଙ୍କ ଶତକ: ଚାମ୍ପିୟନ୍ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ନ୍ୟୁଜିଲ୍ୟାଣ୍ଡ୍ | News Room Odisha

କନଓ୍ବେ-ରବୀନ୍ଦ୍ରଙ୍କ ଶତକ: ଚାମ୍ପିୟନ୍ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ନ୍ୟୁଜିଲ୍ୟାଣ୍ଡ୍

ଅହମ୍ମଦାବାଦ: ଜବରଦସ୍ତ ବିଜୟରୁ ନିଜ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲ୍ୟାଣ୍ଡ । ଡେଭନ୍ କନଓ୍ବେ ଓ ରଚିନ୍ ରବୀନ୍ଦ୍ରଙ୍କ ଚିତ୍ତାକର୍ଷକ ତଥା ଅପରାଜିତ ଶତକୀୟ ପାଳି ବଳରେ ନ୍ୟୁଜିଲ୍ୟାଣ୍ଡ ବିଶ୍ବକପର‌ ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ୯ ଓ୍ବିକେଟରେ ମାତ୍ ଦେଇଛି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୨ ରନ୍ କରିଥିଲା। ଦଳ ତରଫରୁ ଜୋ ରୁଟ୍ ସର୍ବାଧିକ ୭୭ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋସ୍ ବଟଲର ୪୩ ଓ ଜନିତ ବେୟାରଷ୍ଟୋ ୩୩ ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ତରଫରୁ ମ୍ୟାଟ୍ ହେନରୀ ୩ଟି ଓ୍ବିକେଟ୍ ନେଇଥିବା ବେଳେ ମିଚେଲ ସାଣ୍ଟଟନର ଓ ଗ୍ଲେନ୍ ଫିଲିପ୍ସ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।

୨୮୩ ରନର ବିଜୟଲକ୍ଷ୍ୟ ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ଗୋଟିଏ ଓ୍ବିକେଟ୍ ହରାଇ ୩୬.୨ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଓପନର ଓ୍ବିଲ ୟଙ୍ଗ ଖାତା ଖୋଲିନପାରି ଦ୍ବିତୀୟ ଓଭରରେ ଆଉଟ୍ ହୋଇଥିଲେ। ହେଲେ କନୱେ ଓ ରବୀନ୍ଦ୍ର ଅପରାଜିତ ଶତକ ସହ ଇଂଲଣ୍ଡର ହୋସ୍ ଉଡ଼ାଇ ଦେଇଥିଲେ । ଉଭୟ ନିଜ ଡେବ୍ୟୁ ବିଶ୍ବକପରେ ଚମତ୍କାର ଶତକ ସହ ୨୭୩ ରନର ଅପରାଜିତ ଭାଗିଦାରୀ କରି ଦଳକୁ ସହଜ ବିଜୟ ଦେଇଥିଲେ |

କନଓ୍ବେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକ ହାସଲ କରିଥିଲେ । ସେ ୧୨୧ ବଲରେ ୧୯ଟି ଚୌକା ଓ ୩ଟି ଛକା ସହ ଅପରାଜିତ ୧୫୨ ରନ୍ କରିଥିବା ବେଳେ ରବୀନ୍ଦ୍ର ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଶତକ ହାସଲ ପୂର୍ବକ ୯୬ ବଲରେ ୧୧ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୧୨୩ ରନ୍ କରିଥିଲେ ‌। ରବୀନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ନିୟମିତ ଅଧିନାୟକ କେନ୍ ଓ୍ବିଲିୟମସନ ଓ ଷ୍ଟାର ପେସ୍ ବୋଲର ଟିମ୍ ସାଉଦି ଖେଳୁନଥିବା ସତ୍ତ୍ବେ ନ୍ୟୁଜିଲ୍ୟାଣ୍ଡ ଏହି ଚମତ୍କାର ବିଜୟ ହାସଲ କରିଛି । ଏଥିସହ ୨୦୧୯ ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଛି କିଓ୍ବି ଦଳ ।