ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ: ଦେଶରେ କମିଛି ଜନ୍ମହାର, ବଢ଼ିଛି ମେଦବହୁଳତା | News Room Odisha

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ: ଦେଶରେ କମିଛି ଜନ୍ମହାର, ବଢ଼ିଛି ମେଦବହୁଳତା

ନୂଆଦିଲ୍ଲୀ: ଦେଶର ଜନସଂଖ୍ୟା ବୃଦ୍ଧି ହାର ଧିମେଇ ଯାଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍) ର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି | ରିପୋର୍ଟ ଅନୁଯାୟୀ, ଦେଶରେ ଶିଶୁ ଜନ୍ମ ହାର ୨.୨% ରୁ ୨% କୁ ଖସି ଆସିଛି। ସର୍ଭେ ଅନୁଯାୟୀ ୩୫% ପୁରୁଷ ବିଶ୍ୱାସ କରନ୍ତି ଯେ ଗର୍ଭନିରୋଧକ ଗ୍ରହଣ କରିବା ମହିଳାଙ୍କ କାମ। ଅପରପକ୍ଷରେ ୧୯.୬% ପୁରୁଷ ବିଶ୍ବାସ କରନ୍ତି ଯେ ଗର୍ଭନିରୋଧକ ବ୍ୟବହାର କରୁଥିବା ମହିଳାମାନେ ‘ମୁକ୍ତ’ ହୋଇପାରନ୍ତି। ଏହି ସର୍ଭେରେ ୨୮ଟି ରାଜ୍ୟର ୭୦୭ ଟି ଜିଲ୍ଲା ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬.୩୭ ଲକ୍ଷ ନମୁନା ନିଆଯାଇଥିଲା | ଏହି ସର୍ଭେ ଅନୁଯାୟୀ ଦେଶର କେବଳ ପାଞ୍ଚଟି ରାଜ୍ୟରେ ପ୍ରଜନନ ହାର ୨.୧% ରୁ ଅଧିକ ରହିଛି | ଏହି ପାଞ୍ଚ ରାଜ୍ୟ ହେଲେ – ବିହାର, ମେଘାଳୟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ମଣିପୁର |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୫) ଅନୁଯାୟୀ, ଦେଶରେ ଗର୍ଭନିରୋଧକ ବିଷୟରେ ସଚେତନତାର ସ୍ତର ପ୍ରାୟ ସମାନ । ୯୯% ବିବାହିତ ମହିଳା ଏବଂ ପୁରୁଷ ଅନ୍ତତଃ ପକ୍ଷେ ଏକ ଆଧୁନିକ ଗର୍ଭନିରୋଧକ ପଦ୍ଧତି ଜାଣିଥିଲେ | ଏହା ସତ୍ୟ ଯେ ସେମାନଙ୍କ ମଧ୍ୟରୁ କେବଳ ୫୪.୬% ହିଁ ଏପରି ଗର୍ଭନିରୋଧ ପଦ୍ଧତି ବ୍ୟବହାର କରିଥିଲେ | ଅଧିକାଂଶ କାର୍ଯ୍ୟରତ ମହିଳା ଗର୍ଭନିରୋଧକ ବ୍ୟବହାରରେ ବିଶ୍ୱାସ କରନ୍ତି | ସର୍ଭେରେ ସାମିଲ ୬୬.୩% ମହିଳା କହିଛନ୍ତି ଯେ ସେମାନେ ଆଧୁନିକ ଗର୍ଭନିରୋଧ ଔଷଧ ବ୍ୟବହାର କରିଛନ୍ତି ।

ସର୍ଭେରୁ ଜଣାପଡିଛି ଯେ ଦଶରେ ମେଦବହୁଳତା ପୀଡ଼ିତ ଲୋକଙ୍କ ସଂଖ୍ୟା ୨୪% ବୃଦ୍ଧି ପାଇଛି । ମେଦବହୁଳତା ବଢ଼ିବା ପଛରେ ବିଳାସପୂର୍ଣ୍ଣ ଜୀବନଶୈଳୀ ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି | ଏହି ସର୍ଭେରେ ୭,୨୪,୧୧୫ ମହିଳା ଏବଂ ୧,୦୧,୮୩୯ ପୁରୁଷ ସାମିଲ ହୋଇଥିଲେ |