ନକଲି ଲିଭର ଓ କ୍ୟାନ୍ସର ଔଷଧର ପ୍ରସାର ନେଇ କେନ୍ଦ୍ର, ଡିଜିସିଆଇଙ୍କୁ ଏନ୍ଏଚ୍ଆରସିର ନୋଟିସ୍ | News Room Odisha

ନକଲି ଲିଭର ଓ କ୍ୟାନ୍ସର ଔଷଧର ପ୍ରସାର ନେଇ କେନ୍ଦ୍ର, ଡିଜିସିଆଇଙ୍କୁ ଏନ୍ଏଚ୍ଆରସିର ନୋଟିସ୍

ନୂଆଦିଲ୍ଲୀ: ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆରସି) ନକଲି ଲିଭର ଔଷଧ ଡିଫିଟାଲିଓ ଏବଂ କ୍ୟାନସର ଔଷଧ ଆଡସେଟ୍ରିସର ପ୍ରସାର ଅଭିଯୋଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡ୍ରଗ୍ସ ନିୟାମକ (ଡିଜିସିଆଇ)କୁ ନୋଟିସ୍ ଜାରି କରିଛନ୍ତି । ଆୟୋଗ କହିଛନ୍ତି ଯେ ଯଦି ଏହି ଖବର ସତ୍ୟ ତେବେ ଏହା ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ପ୍ରସଙ୍ଗ ଓ ଚିନ୍ତାର ବିଷୟ।

ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଆଲର୍ଟ ପରେ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ରାଜ୍ୟ ନିୟାମକ, ଡାକ୍ତର ଏବଂ ରୋଗୀଙ୍କୁ ଦୁଇଟି ଔଷଧ ଡିଫିଟେଲିଓ ଏବଂ ଆଡସେଟ୍ରିସ୍ ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲା । ଏନେଇ ଏକ ଗଣମାଧ୍ୟମ ରିପୋର୍ଟ ଆଧାରରେ ଏନ୍ଏଚ୍ଆରସି କେନ୍ଦ୍ର ଓ ଡିଜିସିଆଇଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଏହି ଦୁଇ ନିର୍ଦ୍ଦିଷ୍ଟ ଔଷଧର ନକଲି ଭର୍ସନ ୪ଟି ଦେଶରେ ମିଳୁଥିବା ଜଣାପଡ଼ିଛି, ଯେଉଁଥିରେ ଭାରତ ମଧ୍ୟ ରହିଛି | ଏନ୍ଆଏଚ୍ଆରସି ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସମେତ ଚାରିଟି ଦେଶରେ ଆଡସେଟ୍ରିସ୍ ଇଞ୍ଜେକ୍ସନ୍ ୫୦ ମିଲିଗ୍ରାମର ନକଲି ସଂସ୍କରଣ ମିଳିଛି । ନକଲି ଔଷଧ ମୁଖ୍ୟତ ଅନଲାଇନରେ ବିକ୍ରି କରାଯାଉଛି |