ଆତଙ୍କବାଦ ଷଡ଼ଯନ୍ତ୍ର ମାମଲାରେ ଏନ୍ଆଇଏର ଆକ୍ସନ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ଟି ସ୍ଥାନରେ ଚଢ଼ାଉ, ୧୩ ଗିରଫ | News Room Odisha

ଆତଙ୍କବାଦ ଷଡ଼ଯନ୍ତ୍ର ମାମଲାରେ ଏନ୍ଆଇଏର ଆକ୍ସନ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ଟି ସ୍ଥାନରେ ଚଢ଼ାଉ, ୧୩ ଗିରଫ

ନୂଆଦିଲ୍ଲୀ: ଆଇଏସ୍ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ଟିମ୍ ଶନିବାର ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୪୪ଟି ସ୍ଥାନରେ ଚଢ଼ାଉ କରିଛି। କର୍ଣ୍ଣାଟକର କେତେକ ସ୍ଥାନରେ ଚଢ଼ାଉ ଚାଲିଥିବାବେଳେ ପୁଣେ, ଥାନେ ସଦର, ଥାନେ ସିଟି ଏବଂ ମହାରାଷ୍ଟ୍ରର ମୀରା ଭୟନ୍ଦରରେ ମଧ୍ୟ ରେଡ୍ ଜାରି ରହିଛି।

ଏନଆଇଏ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲା ଅଲ-କାଏଦା ଏବଂ ଆଇଏସ୍ଆଇଏସ୍ ସହ କିଛି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ହିଂସାବାଦୀ ବିଚାରଧାରାରେ ଅନୁପ୍ରାଣିତ ହେଇ ଆତଙ୍କବାଦୀ ଗ୍ୟାଙ୍ଗ୍ ଗଠନ କରିଥିବା ଅଭିଯୁକ୍ତ ତଥା ସେମାନଙ୍କ ସହଯୋଗୀଙ୍କ ଅପରାଧିକ ଷଡ଼ଯନ୍ତ୍ର ସହ ଜଡ଼ିତ।

ଏହି ମାମଲାରେ ଅନ୍ତର୍ଜାତୀୟ ଲିଙ୍କ୍ ଏବଂ ବିଦେଶୀ ଆଇଏସଆଇଏସ୍ ଅପରେଟିଭ୍ ସହ ଜଡିତ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଥିବା ଦାବି କରିଛି ଏନ୍ଆଇଏ । ତଦନ୍ତରୁ ଭାରତରେ ଆଇଏସଆଇଏସର ଉଗ୍ରବାଦୀ ଚିନ୍ତାଧାରା ପ୍ରଚାର କରୁଥିବା ଅଭିଯୁକ୍ତଙ୍କ ଏକ ଜଟିଳ ନେଟୱାର୍କ ସମ୍ପର୍କରେ ଖୁଲାସା ହୋଇଛି । ଏହି ମାମଲାରେ ୧୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।