ଏନ୍ଆଇଏ ଜବତ କଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ସମ୍ପତ୍ତି | News Room Odisha

ଏନ୍ଆଇଏ ଜବତ କଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ସମ୍ପତ୍ତି

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫଜେ)ର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏନଆଇଏ ନେଇଛି ବଡ଼ ଆକ୍ସନ । ଅମୃତସର ଓ ଚଣ୍ଡିଗଡ଼ରେ ଥିବା ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ | ଏହାଛଡ଼ା ଚଣ୍ଡୀଗଡ଼ ସ୍ଥିତ ତାଙ୍କ ଘର ମଧ୍ୟ ଜବତ ହୋଇଛି। ୨୦୨୦ ପୂର୍ବରୁ ମଧ୍ୟ ପନ୍ନୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ପନ୍ନୁ ବର୍ତ୍ତମାନ ଆମେରିକାରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଛନ୍ତି ।

ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଅମୃତସର ଜିଲ୍ଲା ଉପକଣ୍ଠରେ ଥିବା ପନ୍ନୁଙ୍କ ପୈତୃକ ଗ୍ରାମ ଖାନକୋଟରେ ୪୬ କେନାଲ କୃଷି ସମ୍ପତ୍ତି ବି ରହିଛି। ଏନଆଇଏ ଦ୍ୱାରା ଜବତ ହୋଇଥିବା ପନ୍ନୁର ଆଉ ଏକ ସମ୍ପତ୍ତି ହେଉଛି ଚଣ୍ଡିଗଡ଼ର ସେକ୍ଟର ୧୫-ସିରେ ଥିବା ତାଙ୍କ ଘର ନମ୍ବର ୨୦୩୩ |

ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚାରି ମେଟ୍ରୋ ଷ୍ଟେସନରେ ଖଲିସ୍ତାନ ସପକ୍ଷ ସ୍ଲୋଗାନ ଲେଖାଯାଇଥିଲା । ପନ୍ନୁଙ୍କ ନିର୍ଦ୍ଦେଶରେ ହିଁ ପଞ୍ଜାବର କିଛି ଖଲିସ୍ତାନ ସମର୍ଥକ ଏଭଳି ସ୍ଲୋଗାନ ଲେଖିଥିଲେ ବୋଲି କୁହାଯାଉଛି ।