କାଞ୍ଝାଓ୍ବାଲା ମାମଲା: ଡ୍ରଗ୍ସ ଚୋରାଚାଲାଣ ମାମଲାରେ ଗିରଫ ହୋଇଥିଲେ ଅଞ୍ଜଳିଙ୍କ ସାଙ୍ଗ ନିଧି | News Room Odisha

କାଞ୍ଝାଓ୍ବାଲା ମାମଲା: ଡ୍ରଗ୍ସ ଚୋରାଚାଲାଣ ମାମଲାରେ ଗିରଫ ହୋଇଥିଲେ ଅଞ୍ଜଳିଙ୍କ ସାଙ୍ଗ ନିଧି

ନୂଆଦିଲ୍ଲୀ: ଦିଲ୍ଲୀ କାଞ୍ଝାଓ୍ବାଲା ମାମଲାର ସାକ୍ଷୀ ତଥା ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧିଙ୍କ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଛି । ଦୁଇ ବର୍ଷ ପୂର୍ବେ ଆଗ୍ରାରେ ନିଧି ୧୦ କିଲୋଗ୍ରାମ ଗଞ୍ଜେଇ ସହ ଧରାପଡିଥିଲେ। ଜିଆରପି ତାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କୁ ରେଳ ଷ୍ଟେସନରୁ ଧରିଥିଲା। ସେମାନଙ୍କଠାରୁ ୧୦-୧୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ​​। ସେମାନେ ତେଲେଙ୍ଗାନାରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଜେରା ବେଳେ ପୋଲିସକୁ ଏହି ତିନି କହିଥିଲେ ।

ସୁଲତାନପୁରୀ ଥାନା ଅନ୍ତର୍ଗତ କାଞ୍ଝାଓ୍ବାଲାରେ ଏକ ମାରୁତି ବଲେନୋ କାର୍ ୨୦ ବର୍ଷ ବୟସ୍କା ଅଞ୍ଜଳିଙ୍କ ସ୍କୁଟିକୁ ଧକ୍କା ଦେବା ପରେ ତାଙ୍କୁ ପ୍ରାୟ ୧୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଘଟଣାର ସମୟରେ ଅଞ୍ଜଳିଙ୍କ ସହ ତାଙ୍କ ସାଙ୍ଗ ନିଧି ମଧ୍ୟ ସ୍କୁଟିରେ ଥିଲେ । ତେବେ ସେ ସାମାନ୍ୟ ଆଘାତ ସହ ବର୍ତ୍ତି ଯାଇଥିଲେ ଏବଂ କାହାକୁ କିଛି ନକହି ଘରକୁ ପଳାଇଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ପୋଲିସର ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ସେ ଆଗରୁ ନିଶା କାରବାର ମାମଲାରେ ଗିରଫ ହୋଇଥିଲେ ।

ଇନ୍ସପେକ୍ଟର ଆଗ୍ରା କ୍ୟାଣ୍ଟ ଦେବେନ୍ଦ୍ର ସିଂ କହିଛନ୍ତି ଯେ ୬ ଡିସେମ୍ବର ୨୦୨୦ରେ ନିଧି ଷ୍ଟେସନର ଫୁଟ୍ ଓଭର ବ୍ରିଜ ନିକଟରେ ୧୦ କିଲୋଗ୍ରାମ ଗଞ୍ଜେଇ ସହ ଗିରଫ ହୋଇଥିଲେ । ତାଙ୍କ ସହ ଉତ୍ତର ପଶ୍ଚିମ ଦିଲ୍ଲୀର ଅମର ବିହାର ନିବାସୀ ରବି କୁମାର ଏବଂ ଭାଗିଆ ବିହାର ନିବାସୀ ସମୀର ଓରଫ୍ ମାହିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟ ଯୁବକଙ୍କଠାରୁ ମଧ୍ୟ ୧୦-୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ନିଧି କହିଥିଲେ ଯେ ସେ ଏବଂ ତାଙ୍କର ଦୁଇ ସହଯୋଗୀ ଦିଲ୍ଲୀ ବାସିନ୍ଦା ଦୀପକ ନାମକ ଜଣେ ଯୁବକଙ୍କ ନିର୍ଦ୍ଦେଶରେ ତେଲେଙ୍ଗାନାରୁ ଟ୍ରେନ୍ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ନେଇ ଯାଉଥିଲେ।