ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର, ଚାରି ପିଲାଙ୍କ ସମେତ ୯ ମୃତ | News Room Odisha

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର, ଚାରି ପିଲାଙ୍କ ସମେତ ୯ ମୃତ

ଚେନ୍ନାଇ: ଗତ କିଛି ଦିନ ହେବ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଶୁକ୍ରବାର ତାମିଲନାଡୁର ଭେଲୋର ଜିଲ୍ଲାରେ ଗୋଟିଏ ଘର ଭୁଶୁଡ଼ି ପଡ଼ି ଚାରି ପିଲାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ଗତ ଏକ ସପ୍ତାହ ଧରି ତାମିଲନାଡୁରେ ବର୍ଷା ଲାଗି ରହିଛି। ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି | ତାମିଲନାଡୁର ଅନେକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ତାମିଲନାଡୁର କେତେକ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ କିଛି ଅଞ୍ଚଳ ପାଇଁ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାଛଡ଼ା, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ବର୍ଷାର ପରିମାଣ କମିବ ।