ଶପଥ ନେଲେ ସୁପ୍ରିମକୋର୍ଟର ୯ ନୂଆ ବିଚାରପତି | News Room Odisha

ଶପଥ ନେଲେ ସୁପ୍ରିମକୋର୍ଟର ୯ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୯ ନୂଆ ନୂତନ ବିଚାରପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନ୍ନା ଆଜି ସକାଳେ ଏହି ନବନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଥମ ଥର ପାଇଁ ଏକାଥରକେ ୯ ଜଣ ବିଚାରପତି ଶପଥ ନେଇଛନ୍ତି। ଏହି ୯ ଜଣଙ୍କ ମଧ୍ୟରୁ ୮ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଜଜ୍ ଅଟନ୍ତି। ଏହାଛଡ଼ା ଜଣେ ବରିଷ୍ଠ ଓକିଲ ମଧ୍ୟ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି।

ସାଧାରଣତଃ ପ୍ରଧାନ ବିଚାରପତିଙ୍କ କୋର୍ଟ କକ୍ଷରେ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସୁପ୍ରିମକୋର୍ଟର ନବନିର୍ମିତ ଭବନର ଅଡିଟୋରିୟମରେ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଡିଟୋରିୟମରେ ୯୦୦ ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା ଅଛି | ଏହା ସହିତ ପ୍ରଥମ ଥର ପାଇଁ ବିଚାରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମଧ୍ୟ ଟିଭିରେ ସିଧା ପ୍ରସାରଣ କରାଯାଇଥିଲା।

ସୁପ୍ରିମକୋର୍ଟରେ ଦାୟିତ୍ବ ଗ୍ରହଣ କରିଥିବା ୯ ବିଚାରପତି ହେଲେ ଜଷ୍ଟିସ୍ ଏ ଏସ୍ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ୍ ଜେ.କେ ମହେଶ୍ୱରୀ, ଜଷ୍ଟିସ୍ ହିମା କୋହଲି, ଜଷ୍ଟିସ୍ ବି.ଭି ନାଗରତ୍ନା, ଜଷ୍ଟିସ୍ ବେଲା ତ୍ରିବେଦୀ, ଜଷ୍ଟିସ୍ ସି ଟି ରବିନ୍ଦ୍ରକୁମାର, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ, ଏବଂ ବରିଷ୍ଠ ଓକିଲ ପିଏସ୍ ନରସିଂହ |

ଏହି ବିଚାରପତିମାନଙ୍କ ମଧ୍ୟରୁ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବିଭି ନାଗରତ୍ନା ଏବଂ ପିଏସ୍ ନରସିଂହ ଭବିଷ୍ୟତରେ ଭାରତର ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ମହିଳା ପ୍ରଧାନ ବିଚାରପତି ହୋଇନାହାନ୍ତି। ସେପ୍ଟେମ୍ବର ୨୦୨୭ରେ ଜଷ୍ଟିସ ନାଗରତ୍ନା ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି | ପ୍ରାୟ ଦୁଇ ବର୍ଷ ପରେ ସୁପ୍ରିମକୋର୍ଟରେ ନୂତନ ନିଯୁକ୍ତି ପରେ ମୋଟ ୩୪ ଜଣ ବିଚାରପତିଙ୍କ ମଧ୍ୟରୁ ୩୩ଟି ପଦ ପୂରଣ ହୋଇଛି।