ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ | News Room Odisha

ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ୯ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି)କୁ ଦୁଇଟି ଟ୍ରେନ୍ ମିଳିଥିବାବେଳେ ପଶ୍ଚିମବଙ୍ଗକୁ ଦୁଇଟି ଏବଂ ଓଡିଶା, ଗୁଜରାଟ ଓ ରାଜସ୍ଥାନକୁ ଗୋଟିଏ ଲେଖାଏଁ ଟ୍ରେନ୍ ମିଳିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଯୋଡ଼ି ହୋଇଥିଲେ । ପ୍ରଥମ ଥର ପାଇଁ ଏକାସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ହୋଇଛି ।

ସମ୍ପ୍ରତି ବିଭିନ୍ନ ରୁଟରେ ୨୫ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି | ଆଜି ଆଉ ୯ଟି ଟ୍ରେନ୍ ଲଞ୍ଚ ହେବା ସହ ସମଗ୍ର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୩୪ରେ ପହଞ୍ଚିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଆଧୁନିକ କନେକ୍ଟିଭିଟି ପ୍ରସାର କରିବା ଏହା ଏକ ଅଦ୍ୱିତୀୟ ସୁଯୋଗ । ଭିତ୍ତିଭୂମି ବିକାଶର ଗତି ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ସହିତ ତାଳ ଦେଇ ଚାଲିଛି | ଆଜିର ଭାରତ ଏହା ଚାହୁଁଛି | ଆଜି ୯ ବନ୍ଦେ ଭାରତ ଟ୍ରେନର ଏକକାଳୀନ ଲଞ୍ଚ ମଧ୍ୟ ଏହାର ଏକ ଉଦାହରଣ |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ରାଜସ୍ଥାନ, ଗୁଜରାଟ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳର ଲୋକମାନେ ବନ୍ଦେ ଭାରତ ଏକ୍ସପ୍ରେସର ସୁବିଧା ପାଇଛନ୍ତି। ଆଜି ଲଞ୍ଚ ହୋଇଥିବା ଟ୍ରେନ୍ ଗୁଡିକ ପୂର୍ବ ଅପେକ୍ଷା ଅଧିକ ଆଧୁନିକ ଏବଂ ଆରାମଦାୟକ | ଏହି ବନ୍ଦେ ଭାରତ ଟ୍ରେନ୍ ଭାରତର ନୂଆ ଉତ୍ସାହର ପ୍ରତୀକ |