ସୋନିଆ ଗାନ୍ଧୀଙ୍କ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ରାଜ୍ୟସଭା ରେକର୍ଡରୁ ବାଦ୍ | News Room Odisha

ସୋନିଆ ଗାନ୍ଧୀଙ୍କ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ରାଜ୍ୟସଭା ରେକର୍ଡରୁ ବାଦ୍

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କିଛି ବୟାନ ରେକର୍ଡରୁ ହଟାଇ ଦେଇଛନ୍ତି। କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ “ରାଷ୍ଟ୍ରପତ୍ନୀ” ମନ୍ତବ୍ୟ ପାଇଁ ସୀତାରମଣ ସୋନିଆ ଗାନ୍ଧୀଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ । ଏ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ମଧ୍ୟରେ ବାକବିତଣ୍ଡା ଦେଖିବାକୁ ମିଳିଥିଲା ।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନିର୍ମଳା ସୀତାରମଣ ଜୁଲାଇ ୨୮ରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଗୃହର ପ୍ରକ୍ରିୟାରୁ ହଟାଇବାକୁ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖରଗେ ଦାବି କରିଥିଲେ। ସେ କହିଥିଲେ ଯେ ଏଥିପାଇଁ ଉଭୟ ମନ୍ତ୍ରୀ କ୍ଷମା ମାଗନ୍ତୁ। ଖରଗେଙ୍କ ଦାବି ପରେ ସୀତାରମଣଙ୍କ ଭାଷଣର କିଛି ଅଂଶ ରାଜ୍ୟସଭା ପ୍ରକ୍ରିୟାରୁ ସୋମବାର ହଟାଇ ଦିଆଯାଇଛି ।

ରାଜ୍ୟସଭା ସଚିବାଳୟ ତରଫରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଅର୍ଥମନ୍ତ୍ରୀ ସୀତାରମଣଙ୍କ ଜୁଲାଇ ୨୮ର ଭାଷଣର କିଛି ଅଂଶ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟସଭା ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି।