ନୀତି ଆୟୋଗର ଚେତାବନୀ, ସେପ୍ଟେମ୍ବରରୁ ଆସିପାରେ ଦୈନିକ ୪ରୁ ୫ ଲକ୍ଷ କରୋନା ମାମଲା , ଦୁଇ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ | News Room Odisha

ନୀତି ଆୟୋଗର ଚେତାବନୀ, ସେପ୍ଟେମ୍ବରରୁ ଆସିପାରେ ଦୈନିକ ୪ରୁ ୫ ଲକ୍ଷ କରୋନା ମାମଲା , ଦୁଇ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ କୋଭିଡ ମହାମାରୀର ଭୟଙ୍କର ରୂପ ଦେଖିବାକୁ ମିଳିପାରେ। ତୃତୀୟ ଲହରୀ ନେଇ ନୀତି ଆୟୋଗର ପୂର୍ବାନୁମାନରୁ ଏଭଳି ଆଶଙ୍କା କରାଯାଉଛି । ସେପ୍ଟେମ୍ବରରୁ ଦୈନିକ ୪ ରୁ ୫ ଲକ୍ଷ କରୋନା ମାମଲା ଆସିପାରେ ବୋଲି ଆୟୋଗ ଚେତାବନୀ ଦେଇଛି। ପ୍ରତି ୧୦୦ କରୋନା ମାମଲା ମଧ୍ୟରୁ ୨୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ଦୁଇ ଲକ୍ଷ ଆଇସିୟୁ ବେଡ୍ ଆଗରୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି ଆୟୋଗ ‌କହିଛି ।

କରୋନାର ଦ୍ବିତୀୟ ଲହରୀ ପରେ ହସ୍ପିଟାଲ ଗୁଡ଼ିକୁ ବହୁ ସଂଖ୍ୟକ କୋଭିଡ୍ ବେଡ୍ ରଖିବାକୁ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି। ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ଆଗରୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ଆୟୋଗ କହିଛନ୍ତି। ସେପ୍ଟେମ୍ବର ସୁଦ୍ଧା ଦୁଇ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ହେବା ଉଚିତ୍ | ଏହା ବ୍ୟତୀତ ୧.୨ ଲକ୍ଷ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଶଯ୍ୟା, ୭ ଲକ୍ଷ ଅମ୍ଳଜାନ ଶଯ୍ୟା ଏବଂ ୧୦ ଲକ୍ଷ କୋଭିଡ ଆଇସୋଲେସନ୍ ଶଯ୍ୟାର ବ୍ୟବସ୍ଥା କରିବାକୁ ପଡ଼ିବ |

ନୀତି ଆୟୋଗ ପୂର୍ବରୁ ସେପ୍ଟେମ୍ବର ୨୦୨୦ରେ କରୋନାର ଦ୍ୱିତୀୟ ଲହରୀ ନେଇ ପୂର୍ବାନୁମାନ କରିଥିଲା ​​| ନୀତି ଆୟୋଗ ସେତେବେଳେ କହିଥିଲା ଯେ ୧୦୦ ସଂକ୍ରମିତ ମଧ୍ୟରୁ ଗମ୍ଭୀର ଲକ୍ଷଣ ଥିବା ପ୍ରାୟ ୨୦ ଜଣ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ। କିନ୍ତୁ ଏଥର ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି ଚେତାଇଛି ନୀତି ଆୟୋଗ ।

ବର୍ତ୍ତମାନ ଭାରତରେ ଗତ ୫୬ ଦିନ ଧରି ଦୈନିକ ୫୦.୦୦୦ରୁ କମ୍ ମାମଲା ରିପୋର୍ଟ ହେଉଛି। କୋଭିଡ କାରଣରୁ ଦେଶରେ ଏଯାବତ୍ ମୋଟ ୪ ଲକ୍ଷ ୩୪ ହଜାର ୩୬୭କୁ ବୃଦ୍ଧି ପାଇଛି।

COVID-19Niti Aayog