୨୦୨୪ ପାଇଁ ପ୍ରସ୍ତୁତି: ମମତାଙ୍କୁ ଭେଟିଲେ ନୀତିଶ-ତେଜସ୍ୱୀ, ବିଜେପି ବିରୋଧରେ ଏକାଠି ହେବେ କି ବିରୋଧୀ? | News Room Odisha

୨୦୨୪ ପାଇଁ ପ୍ରସ୍ତୁତି: ମମତାଙ୍କୁ ଭେଟିଲେ ନୀତିଶ-ତେଜସ୍ୱୀ, ବିଜେପି ବିରୋଧରେ ଏକାଠି ହେବେ କି ବିରୋଧୀ?

କୋଲକାତା: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଜୋରଦାର ହୋଇଛି। ଗୋଟିଏ ପଟେ ହାତରୁ ଖସିଥିବା ଆସନ ଗୁଡ଼ିକୁ କବଜା କରିବା ପାଇଁ ବିଜେପି ପ୍ରସ୍ତୁତ ହେଉଥିବାବେଳେ ଅନ୍ୟପଟେ ବିରୋଧୀ ଏକଜୁଟ ହୋଇ ଚ୍ୟାଲେଞ୍ଜ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି । ବିରୋଧୀ ଏକତା ପ୍ରୟାସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୋମବାର ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ କୋଲକାତାରେ ଭେଟିଛନ୍ତି। ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଉଭୟ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ । କାରଣ ମମତା ବାନାର୍ଜୀ ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସ ସହ ହାତ ମିଳାଇବେ ନାହିଁ । ସେ ନିଶ୍ଚିତ ଭାବେ ତୃତୀୟ ସାମ୍ମୁଖ୍ୟ ପାଇଁ ଉଦ୍ୟମ କରିଛନ୍ତି । ସେଥିପାଇଁ ସେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଡିଏସ୍ ନେତା କୁମାରସ୍ୱାମୀଙ୍କୁ ଭେଟିଥିଲେ । କିନ୍ତୁ ଏବେ ନୀତୀଶ କୁମାର ମମତାଙ୍କୁ ଭେଟିବା ପରେ କଂଗ୍ରେସ ପ୍ରତି ମମତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ଉଭୟ ନେତା ୨୦୨୪ ନିର୍ବାଚନ ଉପରେ ଆଲୋଚନା କରିଥିଲେ। ବିଜେପିକୁ କିପରି କ୍ଷମତାକୁ ଆସିବାରୁ ରୋକାଯିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ନୀତୀଶ କୁମାର ଗତ ମାସରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ। ତା’ପରେ ସମସ୍ତେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ମଧ୍ୟ କଥା ହୋଇଥିଲେ। କେବଳ ଗୋଟିଏ ବୈଠକ ପରେ ହିଁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଥିଲା ଯେ ବିଜେପିକୁ ପରାସ୍ତ କରିବାକୁ ସବୁ ବିରୋଧୀ ଏକଜୁଟ ହୋଇଛନ୍ତି ।