ନୀତୀଶ କୁମାରଙ୍କ ବଡ଼ ଘୋଷଣା, କେନ୍ଦ୍ରରେ ସରକାର ବଦଳିଲେ ସବୁ ପଛୁଆ ରାଜ୍ୟକୁ ମିଳିବ ସ୍ବତନ୍ତ୍ର ପାହ୍ୟା ମାନ୍ୟତା | News Room Odisha

ନୀତୀଶ କୁମାରଙ୍କ ବଡ଼ ଘୋଷଣା, କେନ୍ଦ୍ରରେ ସରକାର ବଦଳିଲେ ସବୁ ପଛୁଆ ରାଜ୍ୟକୁ ମିଳିବ ସ୍ବତନ୍ତ୍ର ପାହ୍ୟା ମାନ୍ୟତା

ପାଟନା: ୨୦୨୪ ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚିତ ହେଉଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି । ନୀତୀଶ କହିଛନ୍ତି ଯେ ଯଦି କେନ୍ଦ୍ରରେ ଅଣ ବିଜେପି ସରକାର ଆସେ, ତେବେ ବିହାର ସମେତ ସମସ୍ତ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରାଯିବ। ପାଟଣାର ସମ୍ବାଦ ଭବନରେ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ବିହାର ପାଇଁ ସେ ଏବଂ ତାଙ୍କ ଦଳ ସର୍ବଦା ସ୍ୱତନ୍ତ୍ର ମାନ୍ୟତା ଦାବି କରିଆସୁଛନ୍ତି।

ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନରେ ନୀତୀଶ କହିଥିଲେ ଯେ, ୨୦୨୪ରେ ଯଦି କେନ୍ଦ୍ରରେ କ୍ଷମତା ପରିବର୍ତ୍ତନ ହୁଏ ତେବେ କେବଳ ବିହାର ନୁହେଁ ବରଂ ଦେଶର ସବୁ ପଛୁଆ ରାଜ୍ୟ ଗୁଡ଼ିକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବ୍ୟବସ୍ଥା କରାଯିବ ।

ନୀତୀଶ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପାଟଣା ଆସିବା ପରେ ବିହାର ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ତାହା ଗ୍ରହଣ କରିନଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଥାନ୍ତା ତେବେ ରାଜ୍ୟର ଆହୁରି ବିକାଶ ହୋଇଥାନ୍ତା। ନୀତୀଶ କହିଛନ୍ତି ଯେ ତାଙ୍କ ସରକାର ସର୍ବଦା ରାଜ୍ୟର ବିକାଶ ପାଇଁ ପ୍ରୟାସ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କଟାକ୍ଷ କରି ସେ କହିଛନ୍ତି ଯେ ତାଙ୍କ ସରକାର ପ୍ରଚାର ନୁହେଁ କାମ ଉପରେ ଧ୍ୟାନ ଦିଏ ।

ନିକଟରେ ନୀତୀଶ କୁମାର ବିଜେପି ସହିତ ସମ୍ପର୍କ ଚ୍ଛିନ୍ନ କରି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ ଅନ୍ୟ ବିରୋଧୀ ଦଳ ସହ ମିଶି ବିହାରରେ ନୂଆ ‘ମହାଗଠବନ୍ଧନ’ ସରକାର ଗଢ଼ିଥିଲେ।