ନୂଆ ସଂସଦ ଭବନର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଲେ ନୀତିଶ, କହିଲେ ପୁରୁଣା ସଂସଦ ଗୃହର ନବୀକରଣ କଲେ ହୁଅନ୍ତା | News Room Odisha

ନୂଆ ସଂସଦ ଭବନର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଲେ ନୀତିଶ, କହିଲେ ପୁରୁଣା ସଂସଦ ଗୃହର ନବୀକରଣ କଲେ ହୁଅନ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମେ ୨୮) ନୂଆ ସଂସଦ ଭବନର ଉଦଘାଟନ କରିବେ। ତେବେ ନୂଆ ସଂସଦ ଭବନର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହାର ବ୍ୟୟବହୁଳ ନିର୍ମାଣ ନେଇ ନୀତିଶ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ନୀତୀଶ କୁମାର କହିଛନ୍ତି ଯେ ଦେଶରେ ଏକ ସଂସଦ ଭବନ ଥିବା ବେଳେ ଆଉ ଏକ ସଂସଦ ଭବନ ନିର୍ମାଣ କରିବାର କ’ଣ ଆବଶ୍ୟକତା ଥିଲା ? ନୂଆ ସଂସଦ ଭବନର ନିର୍ମାଣ ଆରମ୍ଭ ଦିନଠୁଁ ହିଁ ଏହା ମୋତେ ଠିକ୍ ଲାଗୁନଥିଲା । କାରଣ ଦେଶରେ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପଡ଼ିରହିଛି | ସଂସଦ ଗୃହ ନିର୍ମାଣ ପରିବର୍ତ୍ତେ ସରକାର ଦେଶର ଅନ୍ୟ ବିକାଶମୂଳକ କାର୍ଯ୍ୟ କରିବା ଉଚିତ।

ଆଉ ଏକ ସଂସଦ ଭବନ ନିର୍ମାଣ କରିବା ପରିବର୍ତ୍ତେ ପୁରୁଣା ସଂସଦ ଭବନର ନବୀକରଣ କରିବା ଉଚିତ ଥିଲା ବୋଲି ନୀତିଶ କହିଛନ୍ତି । ଆଜି କ୍ଷମତାରେ ଥିବା ଲୋକମାନେ ପୂରା ଇତିହାସ ବଦଳାଇବାକୁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ନୀତୀଶ କୁମାର ।