ନୀତୀଶଙ୍କ ବଡ଼ ଘୋଷଣା, କହିଲେ ତେଜସ୍ୱୀଙ୍କ ନେତୃତ୍ବରେ ଲଢ଼ାଯିବ ୨୦୨୫ ବିଧାନସଭା ନିର୍ବାଚନ | News Room Odisha

ନୀତୀଶଙ୍କ ବଡ଼ ଘୋଷଣା, କହିଲେ ତେଜସ୍ୱୀଙ୍କ ନେତୃତ୍ବରେ ଲଢ଼ାଯିବ ୨୦୨୫ ବିଧାନସଭା ନିର୍ବାଚନ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ଘୋଷଣା କରିଛନ୍ତି । ନୀତୀଶ କହିଛନ୍ତି ଯେ ୨୦୨୫ ବିଧାନସଭା ନିର୍ବାଚନରେ ତେଜସ୍ୱୀ ଯାଦବ ମହାମେଣ୍ଟର ନେତୃତ୍ୱ ନେବେ । ଏହାଛଡ଼ା ନୀତୀଶ କୁମାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହଁନ୍ତି । ସବୁ ବିରୋଧୀ ଦଳକୁ ଏକାଠି କରି ସେ ବିଜେପିକୁ କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି ବୋଲି ନୀତୀଶ କହିଛନ୍ତି ।

ମହାମେଣ୍ଟ ବିଧାୟକ ଦଳର ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବୟାନ ଦେଇଛନ୍ତି। ନୀତୀଶ ଚଳିତ ଅଗଷ୍ଟରେ ହଠାତ୍ ଏନଡିଏ ଛାଡି ଜେଡିୟୁ ସହିତ ହାତ ମିଳାଇଥିଲେ । ଏବେ ପୁଣି ନୀତୀଶ ଏପରି କଥା କହିଛନ୍ତି, ଯାହା ରାଜ୍ୟ ରାଜନୀତିକୁ ସରଗରମ କରିପାରେ ।

ମଙ୍ଗଳବାର ପାଟଣାରେ ମହାମେଣ୍ଟ ବିଧାୟକ ଦଳର ଏକ ବୈଠକ ଡକାଯାଇଥିଲା। ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ‘୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଲଢାଯିବ। ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହେଁ। ଆମେ ସମସ୍ତେ କେବଳ ବିଜେପି ହଟାଇବାକୁ ଚାହୁଁଛୁ।

ଗତକାଲି ମଧ୍ୟ ନୀତୀଶ କୁମାର ବିହାର ସରିଫରେ ଏକ ଡେଣ୍ଟାଲ କଲେଜର ଉଦଘାଟନ ଉତ୍ସବରେ ଯୋଗଦେଇ ତେଜସ୍ବୀଙ୍କୁ ରାଜ୍ୟର କମାଣ ହସ୍ତାନ୍ତର କରିବାକୁ ସଙ୍କେତ ଦେଇଥିଲେ । ସେ କହିଥିଲେ ଯେ ସେ ବହୁତ କାମ କଲେଣି । ବର୍ତ୍ତମାନ ଯାହା ସବୁ କାମ ରହିଛି ତାହା ଆଗାମୀ ଦିନରେ ତେଜସ୍ୱୀ କରିବେ। ତେଜସ୍ୱୀଙ୍କୁ ଆଗକୁ ବଢ଼ାଇବା ପାଇଁ ନୀତୀଶ କୁମାର ଲୋକଙ୍କୁ ନିବେଦନ କରିଛନ୍ତି। ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା କହୁଥିଲେ, ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୦ ବିହାର ବିଧାନସଭା ନିର୍ବାଚନ ବେଳେ ​​ପୂର୍ଣ୍ଣିୟା ଜିଲ୍ଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ନୀତୀଶ କୁମାର କହିଥିଲେ ଯେ ଏହା ତାଙ୍କ ଶେଷ ନିର୍ବାଚନ ।