ବିରୋଧୀ ମହାମେଣ୍ଟର ନେତୃତ୍ବ ନେବେ ନୀତିଶ ! | News Room Odisha

ବିରୋଧୀ ମହାମେଣ୍ଟର ନେତୃତ୍ବ ନେବେ ନୀତିଶ !

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ୨୦୨୪ ଲଢ଼େଇ ପାଇଁ ବିରୋଧୀ ଦଳମାନଙ୍କୁ ଏକାଠି କରିବା ଦାୟିତ୍ବ ନୀତିଶ କୁମାରଙ୍କୁ ହସ୍ତାନ୍ତର କରିବାକୁ ସହମତି ପ୍ରକାଶ ପାଇଛି। ସୂଚନାନୁସାରେ, ନୀତୀଶ କୁମାରଙ୍କୁ ବିରୋଧୀ ଏକତାର ସଂଯୋଜକ କରାଯିବ।

ନୀତିଶ କୁମାର ୮ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ଏବଂ ଏନଡିଏ ସହ ମେଣ୍ଟ କରିବାରେ ତାଙ୍କର ଅନେକ ଅଭିଜ୍ଞତା ରହିଛି । ସେ ମଧ୍ୟ କେନ୍ଦ୍ର ସରକାରରେ ରେଳ ମନ୍ତ୍ରୀ ରହିଛନ୍ତି। ଏହାଛଡ଼ା ସେ ସମସ୍ତ ବିରୋଧୀ ଦଳ ମଧ୍ୟରେ ଏକ ସର୍ବସ୍ବୀକୃତ, ଏବଂ ନିର୍ବିବାଦୀୟ ଚେହେରା, ଯାହାଙ୍କ ଉପରେ ପରିବାରବାଦ ଏବଂ ଭ୍ରଷ୍ଟାଚାରର କୌଣସି ଅଭିଯୋଗ ନାହିଁ |

ତେବେ ବିରୋଧୀ ଏକତାରେ କିଛି କେଁ ପଦାରେ ପଡିଯାଇଛି। ତେଲେଙ୍ଗାନାର ବିଆରଏସ୍ କହିଛି ଯେ ସେମାନେ କଂଗ୍ରେସ ସହ ଗୋଟିଏ ମଞ୍ଚ ବାଣ୍ଟିବାକୁ ଚାହୁଁ ନାହାଁନ୍ତି । ଆମ୍ ଆଦମୀ ପାର୍ଟି ମଧ୍ୟ ଦିଲ୍ଲୀ ସେବା କ୍ଷେତ୍ର ଅଧ୍ୟାଦେଶ ନେଇ କଂଗ୍ରେସକୁ ଚେତାବନୀ ଦେଇଛି ।

ପାଟନାରେ ଆୟୋଜିତ ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଅଛନ୍ତି। ଏହି ବୈଠକରେ ଯୋଗଦେବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଏକ ଚିଠି ଲେଖି କଂଗ୍ରେସକୁ ଅଲ୍ଟିମେଟମ୍ ଦେଇଥିଲେ।

ଏଥିରେ ସେ କହିଥିଲେ ଯେ ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ରଦ୍ଦ କରିବାରେ କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ନିଶ୍ଚିତ ହେବା ପରେ ସେ ଏହି ବୈଠକରେ ଯୋଗଦେବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀରୁ ପାଟନା ଯିବା ପୂର୍ବରୁ ଶୁକ୍ରବାର ଏହି ସର୍ତ୍ତ ଉପରେ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ ଏହି ଅଧ୍ୟାଦେଶ ସଂସଦରେ ଆଗତ କରାଯିବ ଏବଂ ସେଠାରେ ହିଁ ଏହି ପ୍ରସଙ୍ଗରେ ଆମେ ନିଜର ପ୍ରତିକ୍ରିୟା ଦେବୁ । ସେ (କେଜ୍ରିୱାଲ) ଏହାକୁ ନେଇ ବାହାରେ ଏତେ କାହିଁକି ପ୍ରଚାର କରୁଛନ୍ତି?