ନୀତୀଶ ମହାମେଣ୍ଟର ନେତା ନିର୍ବାଚିତ, ସରକାର ଗଢ଼ିବାକୁ ଦାବି ଜଣାଇଲେ | News Room Odisha

ନୀତୀଶ ମହାମେଣ୍ଟର ନେତା ନିର୍ବାଚିତ, ସରକାର ଗଢ଼ିବାକୁ ଦାବି ଜଣାଇଲେ

ପାଟଣା: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ କଂଗ୍ରେସକୁ ନେଇ ମହାମେଣ୍ଟ ସହ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ନୀତୀଶ କହିଛନ୍ତି, ଆମେ ୧୬୪ ବିଧାୟକଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇଛୁ ଓ ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିଛୁ । ଶପଥ ଗ୍ରହଣ କେବେ ହେବ ରାଜ୍ୟପାଳ ଆମକୁ ଜଣାଇବେ।

ଏହାପୂର୍ବରୁ ନୀତୀଶ କୁମାର ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ନୀତୀଶ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଭେଟିବା ପାଇଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ବାସଭବନକୁ ଯାଇଥିଲେ। କିଛି ସମୟ ପରେ ଉଭୟ ଏକାଠି ବାହାରକୁ ବାହାରିଥିଲେ। ଏହା ପରେ ଆରଜେଡି, ବାମ ପାର୍ଟି ଏବଂ କଂଗ୍ରେସର ବିଧାୟକମାନେ ନୀତୀଶ କୁମାରଙ୍କ ବାସଭବନରେ ପହଞ୍ଚିଥିଲେ। ଯେଉଁଠାରେ ନୂଆ ମେଣ୍ଟର ବିଧାୟକ ଦଳର ବୈଠକ ହୋଇଥିଲା। ଏଥିରେ ନୀତୀଶ କୁମାର ମହାମେଣ୍ଟର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହି ବୈଠକ ପରେ ନୀତୀଶ ପୁଣିଥରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ରାଜ ଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ ଲଲନ ସିଂ, ଜିତନ ରାମ ମାଂଝୀ, ଅଜିତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।