ପାଠ ପଢ଼ିବା ପାଇଁ ପାକିସ୍ତାନ ନ ଯିବାକୁ ଡ଼ାକ୍ତରୀ ଛାତ୍ରଙ୍କୁ ପରାମର୍ଶ, ଏନଏମସି ଓ ଡିସିଆଇ ଜାରି କଲେ ଆଡଭାଇଜରି | News Room Odisha

ପାଠ ପଢ଼ିବା ପାଇଁ ପାକିସ୍ତାନ ନ ଯିବାକୁ ଡ଼ାକ୍ତରୀ ଛାତ୍ରଙ୍କୁ ପରାମର୍ଶ, ଏନଏମସି ଓ ଡିସିଆଇ ଜାରି କଲେ ଆଡଭାଇଜରି

ନୂଆଦିଲ୍ଲୀ: ଭାରତୀୟ ମେଡିକାଲ ଛାତ୍ରମାନଙ୍କ ପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏବଂ ଡେଣ୍ଟାଲ କାଉନସିଲ ଅଫ୍ ଇଣ୍ଡିଆ (ଡିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ପାଠ ପଢ଼ିବା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ପାକିସ୍ତାନ ଯାଆନ୍ତି ତେବେ ସେମାନେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ହେବେ ନାହିଁ | ଏହାପୂର୍ବରୁ ୟୁଜିସି ଏବଂ ଏଆଇସିଟିଇ ଭାରତୀୟ ଛାତ୍ରମାନଙ୍କୁ ପଢ଼ିବା ପାଇଁ ପାକିସ୍ତାନ ନ ଯିବାକୁ ଆଡଭାଇଜରୀ ଜାରି କରିଥିଲା ।

ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏବଂ ଡେଣ୍ଟାଲ କାଉନସିଲ ଅଫ ଇଣ୍ଡିଆ (ଡିସିଆଇ) ଭାରତୀୟ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ନୂଆ ଆଡଭାଇଜରୀ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, “ମେଡିକାଲ / ଡେଣ୍ଟାଲ ଶିକ୍ଷା ପାଇଁ ପାକିସ୍ତାନକୁ ନ ଯିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଭାରତର ଯେକୌଣସି ଭାରତୀୟ ନାଗରିକ / ବିଦେଶୀ ନାଗରିକ ପାକିସ୍ତାନର ଯେକୌଣସି ମେଡିକାଲ ଡେଣ୍ଟାଲ କଲେଜରେ ଏମବିବିଏସ୍ / ବିଡିଏସ୍ ଅଧ୍ୟୟନ କରୁଛନ୍ତି ସେମାନେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ”

ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁମାନେ ଡିସେମ୍ବର ୨୦୧୮ ପୂର୍ବରୁ ପାକିସ୍ତାନ ଡିଗ୍ରୀ କଲେଜରେ ନାମ ଲେଖାଇଥିବେ ସେମାନଙ୍କ କ୍ଷେତ୍ରରେ କଟକଣା କୋହଳ କରାଯିବ। ବିଜ୍ଞପ୍ତିରେ ଗୃହ ମନ୍ତ୍ରଣାଳୟର ସୁରକ୍ଷା କାରଣ ଦର୍ଶାଯାଇଛି। ଅବଶ୍ୟ, ପାକିସ୍ତାନରେ ଡାକ୍ତରୀ ଡିଗ୍ରୀ କିମ୍ବା ଉଚ୍ଚଶିକ୍ଷା ଲାଭ କରିଥିବା ତଥା ଭାରତ ସରକାରଙ୍କ ଦ୍ୱାରା ନାଗରିକତ୍ୱ ପ୍ରାପ୍ତ ବିଦେଶୀ ତଥା ସେମାନଙ୍କ ପିଲାମାନେ ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟରେ ହାଜର ହେବାକୁ କିମ୍ବା ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ।