"ବିଜେପି ଲୋକଙ୍କ ମନୋରଞ୍ଜନ କରୁଛି, ସିନେମା ହଲ୍ ଖୋଲିବାକୁ କଣ ଦରକାର?" | News Room Odisha

“ବିଜେପି ଲୋକଙ୍କ ମନୋରଞ୍ଜନ କରୁଛି, ସିନେମା ହଲ୍ ଖୋଲିବାକୁ କଣ ଦରକାର?”

ମୁମ୍ବାଇ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକଙ୍କ ମନୋରଞ୍ଜନ କରୁଥିବା ବେଳେ କୋଭିଡ-୧୯ ମହାମାରୀ ସମୟରେ ସିନେମା ହଲ୍ ଏବଂ ଅଡିଟୋରିୟମ୍ ଖୋଲିବାର କୌଣସି ଆବଶ୍ୟକତା ନାହିଁ । ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପି ଉପରେ ଏଭଳି କଟାକ୍ଷ କରିଛନ୍ତି ।

କୋଭିଡ୍ ନିୟମ ପାଳନ ପୂର୍ବକ ଅକ୍ଟୋବର ୨୨ରୁ ରାଜ୍ୟରେ ସିନେମା ହଲ୍ ଏବଂ ଥିଏଟର ପ୍ରେକ୍ଷାଳୟ ଖୋଲିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ।

ଶିବସେନା ମୁଖପତ୍ର ‘ସାମାନା’ରେ ତାଙ୍କର ସାପ୍ତାହିକ ସ୍ତମ୍ଭ ‘ରୋକଠୋକ୍’ରେ ରାଉତ ଲେଖିଛନ୍ତି ଯେ ବିରୋଧୀ ବିଜେପି ମହାରାଷ୍ଟ୍ରରେ ସବୁ ସୀମା ଟପିଯାଇଛି। ସେ କହିଛନ୍ତି, ପ୍ରତିଦିନ ବିଜେପି ନେତା କିରିଟ ସୋମେୟା ରାଜ୍ୟର ମନ୍ତ୍ରୀ ମାନଙ୍କ ବିରୋଧରେ ଅଭିଯୋଗ ଆଣି ସେମାନଙ୍କ ନିର୍ବାଚନମଣ୍ଡଳୀକୁ ଯାଆନ୍ତି। ମୋ’ ମତରେ ରାଜ୍ୟ ସରକାର ସେମାନଙ୍କ ଗସ୍ତ ବନ୍ଦ କରିବା ଉଚିତ୍ ନୁହେଁ। ତାଙ୍କର ଅଭିଯୋଗ ପାଣି ଫୋଟକା ପରି। ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ଶୈଳୀ ଅଲଗା ବୋଲି ସେ କହିଛନ୍ତି।

ରାଉତ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ଏବଂ କଟକଣା ଜାରି ରହିଥାଇପାରେ, କିନ୍ତୁ ଦେଶରେ ରାଜନୈତିକ ମନୋରଞ୍ଜନ ବନ୍ଦ ହୋଇନାହିଁ। ସବୁ ସ୍ଥାନରେ ମନୋରଞ୍ଜନ ଚାଲିଛି, ବିରୋଧୀ ଦଳର ମନୋରଞ୍ଜନ ଉଭୟ ସସପେନ୍ସ ଏବଂ ହାସ୍ୟରସ ଭରା | ଏଭଳି ସ୍ଥଳେ ସିନେମା ହଲ୍ ଏବଂ ଡ୍ରାମା ଅଡିଟୋରିୟମ୍ ଖୋଲିବାକୁ କଣ ଦରକାର?