ସ୍ପଷ୍ଟ କଲେ ସରକାର, କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ କମାଯିବ ନାହିଁ | News Room Odisha

ସ୍ପଷ୍ଟ କଲେ ସରକାର, କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ କମାଯିବ ନାହିଁ

ନୂଆଦିଲ୍ଲୀ: କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ୮୪ ଦିନର ବ୍ୟବଧାନ ହ୍ରାସ କରିବାକୁ ସରକାର ବିଚାର କରୁନାହାଁନ୍ତି। ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ସରକାର ବ୍ୟବଧାନ ହ୍ରାସ କରିବେ ନାହିଁ। କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ଖୁବ୍ ଶୀଘ୍ର ଭାରତରେ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ଅନ୍ତର ହ୍ରାସ ହୋଇପାରେ, ଯାହା ଦ୍ଵାରା ଲୋକମାନେ କମ୍ ସମୟ ମଧ୍ୟରେ କୋଭିଶିଲ୍ଡର ଉଭୟ ଡୋଜ ନେଇ ପାରିବେ । କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ଉପରେ ବିଚାର କରାଯାଉ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ନିକଟରେ କୋଭିଶିଲ୍ଡ ଟିକା ଦେବାର ମାତ୍ର ଚାରି ସପ୍ତାହ ପରେ ଦ୍ୱିତୀୟ ଡୋଜ ନେବାକୁ କେରଳ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ଅପିଲ କରିଥିବା ଜଣାପଡିଛି।

କେନ୍ଦ୍ର ଏହାର ଆବେଦନରେ କହିଛି ଯେ ଯଦି ସେପ୍ଟେମ୍ବର ୩ରେ କେରଳ ହାଇକୋର୍ଟର ଖଣ୍ଡପୀଠ ଦେଇଥିବା ଆଦେଶ ପ୍ରତ୍ୟାହାର ନହୁଏ, ତେବେ କୋଭିଡ -୧୯ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରଣନୀତି କାର୍ଯ୍ୟକାରୀ କରିବାରେ ସମସ୍ୟା ସୃଷ୍ଟି ହୋଇପାରେ। କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ୧୨ ସପ୍ତାହ ତଥା ୮୪ ଦିନ ଅପେକ୍ଷା କରିବା ଆବଶ୍ୟକ | ସମୟ ଅବଧି ବୃଦ୍ଧି ପଛରେ ସରକାର ବୈଜ୍ଞାନିକ ତଥ୍ୟ ଦର୍ଶାଇଛନ୍ତି ଯେଉଁଥିରେ କୁହାଯାଇଛି ଯେ ୮୪ ଦିନର ବ୍ୟବଧାନ ପରେ କୋଭିଶିଲ୍ଡର ଦ୍ବିତୀୟ ଡୋଜ୍ ନେଲେ ଏହି ଟିକା ଅଧିକ ପ୍ରଭାବୀ ହୋଇଥାଏ।