ହ୍ୟାକିଂ ବିବାଦ: ଆପଲ୍ କମ୍ପାନୀକୁ କେନ୍ଦ୍ରର ନୋଟିସ୍ | News Room Odisha

ହ୍ୟାକିଂ ବିବାଦ: ଆପଲ୍ କମ୍ପାନୀକୁ କେନ୍ଦ୍ରର ନୋଟିସ୍

ନୂଆଦିଲ୍ଲୀ: ବିରୋଧୀ ସାଂସଦଙ୍କ ଆଇଫୋନ୍ ହ୍ୟାକିଂ ଉଦ୍ୟମ ନେଇ ଆପଲ୍ ଆଲର୍ଟ ମେସେଜ୍ ମାମଲାରେ ସରକାର ତଦନ୍ତ ଆରମ୍ଭ କରିଛନ୍ତି । ଆଇଟି ମନ୍ତ୍ରଣାଳୟ ଆପଲ କମ୍ପାନୀକୁ ନୋଟିସ୍ ଜାରି କରି ‘ସରକାରୀ ପ୍ରାୟୋଜିତ’ ହ୍ୟାକିଂ ଅଭିଯୋଗ ସମ୍ବନ୍ଧରେ ଜବାବ ମାଗିଛି । ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରଣାଳୟ ଅଧୀନ ‘ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ଟିମ୍ (ସିଇଆରଟି-ଇନ୍)’ ର ତଦନ୍ତରେ ଆପଲ୍ ସହଯୋଗ କରିବ ବୋଲି ଆଇଟି ସଚିବ ଆଶା ପ୍ରକଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସେମାନେ ନିଜ ଆଇଫୋନରେ “ସରକାରୀ ପ୍ରାୟୋଜିତ ହ୍ୟାକିଂ ଉଦ୍ୟମ” ନେଇ ଆପଲରୁ ଏକ ଆଲର୍ଟ ମେସେଜ୍ ପାଇଛନ୍ତି ବୋଲି ମଙ୍ଗଳବାର ଅନେକ ବିରୋଧୀଦଳ ନେତା ଦାବି କରିଥିଲେ । ହ୍ୟାକିଂ ଉଦ୍ୟମ ପାଇଁ ସେମାନେ ସରକାରଙ୍କୁ ଦାୟୀ କରିଥିଲେ ।

ତେବେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିରୋଧୀଙ୍କ ଅଭିଯୋଗକୁ ଖାରଜ କରି କହିଥିଲେ ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ନେତା କେସି ବେଣୁଗୋପାଳ, ଶଶି ଥରୁର, ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଏବଂ ଟି ସି ସିଂହଦେଓ, ଶିବସେନା (ଉଦ୍ଧବ) ସାଂସଦ ପ୍ରିୟଙ୍କ ଚତୁର୍ବେଦୀ, ତୃଣମୂଳ କଂଗ୍ରେସ ଏମପି ମହୁଆ ମଇତ୍ର, ଆମ୍ ଆଦମୀ ପାର୍ଟି (ଆପ୍)ର ରାଘବ ଚଢ଼ା, ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ (ଏଆଇଏମଆଇଏମ)ର ଅସାଦୁଦ୍ଦିନ ଓଓ୍ବେସି ମଧ୍ୟ ଆପଲରୁ ଆଲର୍ଟ ମେସେଜ୍ ପାଇଥିଲେ ।