ବଜରଙ୍ଗ ପୁନିଆଙ୍କ ପରେ ବିରେନ୍ଦ୍ର ସିଂହ ବି ଫେରାଇବେ ପଦ୍ମଶ୍ରୀ | News Room Odisha

ବଜରଙ୍ଗ ପୁନିଆଙ୍କ ପରେ ବିରେନ୍ଦ୍ର ସିଂହ ବି ଫେରାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ‌ (ଡବ୍ଲୁଏଫ୍ଆଇ)ର ସଭାପତି ଭାବେ ବ୍ରଜଭୂଷଣ ଶରଣ ସିଂହଙ୍କ ଅନୁଗତ ସଞ୍ଜୟ ସିଂଙ୍କ ନିର୍ବାଚନକୁ ନେଇ ବିବାଦ ତେଜୁଛି । ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କ ପରେ ବଧିର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବିରେନ୍ଦ୍ର ସିଂହ ଯାଦବ ମଧ୍ୟ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ଘୋଷଣା କରିଛନ୍ତିି । ସଞ୍ଜୟ ସିଂହଙ୍କ ନିର୍ବାଚନକୁ ବିରୋଧ କରି ଦେଶର ଶ୍ରେଷ୍ଠ କୁସ୍ତି ଖେଳାଳିଙ୍କ ସହ ସମବେଦନା ପ୍ରକାଶ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି ।

‘ଗୁଙ୍ଗା ପହିଲବାନ’ ଭାବେ ଜଣାଶୁଣା ବିରେନ୍ଦ୍ର ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା କୁସ୍ତି ସାକ୍ଷୀ ମଲିକ୍ ଏବଂ ବଜରଙ୍ଗ ପୁନିଆଙ୍କୁ ସମର୍ଥନ କରି ତାଙ୍କ ସମ୍ମାନ ଫେରାଇବେ ବୋଲି କହିଛନ୍ତି । ପୂର୍ବତନ ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଅନ୍ୟତମ ପ୍ରମୁଖ ଚେହେରା ସାକ୍ଷୀ ମଲିକ, ଡବ୍ଲୁଏଫ୍ ନିର୍ବାଚନରେ ସଞ୍ଜୟ ସିଂଙ୍କ ବିଜୟ ପରେ ଖେଳରୁ ଅବସର ଘୋଷଣା କରିଥିବାବେଳେ ବଜରଙ୍ଗ ଶୁକ୍ରବାର ପଦ୍ମଶ୍ରୀ ଫେରାଇ ଦେଇଥିଲେ ।

ବିରେନ୍ଦ୍ର ଟ୍ୱିଟରରେ ଲେଖିଛନ୍ତି, “ମୁଁ ମଧ୍ୟ ମୋ ଭଉଣୀ ଏବଂ ଦେଶର ଝିଅ ପାଇଁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ମୁଁ ଆପଣଙ୍କ ଝିଅ ଏବଂ ମୋ ଭଉଣୀ ସାକ୍ଷୀ ମଲିକଙ୍କ ପାଇଁ ଗର୍ବିତ |

ଏଥିସହ ସେ ସଚିନ ତେନ୍ଦୁଲକର ଏବଂ ନୀରଜ ଚୋପ୍ରାଙ୍କ ପରି ଦେଶର ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଏହି ପ୍ରସଙ୍ଗରେ ମତାମତ ଦେବାକୁ ଅନୁରୋଧ କରିଛନ୍ତି।

୨୦୨୧ ମସିହାରେ ବିରେନ୍ଦ୍ର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପାଇଥିଲେ। ଏହାପୂର୍ବରୁ ତାଙ୍କୁ ୨୦୧୫ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଡବ୍ଲୁଏଫ୍ଆଇ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସାକ୍ଷୀ, ବଜରଙ୍ଗ ଏବଂ ବିନେଶ ଫୋଗେଟ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସାକ୍ଷୀ ସଞ୍ଜୟ ସିଂହ ନୂଆ ଡବ୍ଲୁଏଫ୍ଆଇ ସଭାପତି ହେବାକୁ ବିରୋଧ କରି କୁସ୍ତିରୁ ଅବସର ଘୋଷଣା କରିଥିଲେ ।

ଏହାର ଦିନକ ପରେ ଶୁକ୍ରବାର ପୁନିଆ ‘ଏକ୍ସ’ରେ ଏକ ବିବୃତ୍ତି ଜାରି କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଥିଲେ । ସେ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ପ୍ରଧାନମନ୍ତ୍ରୀ ବାସଭବନକୁ ଯାଉଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀ ରୋକିଥିଲେ । ତେଣୁ ସେ କର୍ତ୍ତବ୍ୟପଥ ଫୁଟପାଥରେ ନିଜ ପଦ୍ମଶ୍ରୀ ପୁରସ୍କାର ରଖି ଫେରିଆସିଥିଲେ।

ଏହି ତିନି ଜଣଙ୍କ ବ୍ୟତୀତ ଦେଶର ଅନ୍ୟ କେତେକ କୁସ୍ତି ଖେଳାଳି ବ୍ରିଜ ଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ସେମାନଙ୍କ ଦାବି ନ ଶୁଣିବା ପରେ ବିକ୍ଷୋଭକାରୀ କୁସ୍ତି ଖେଳାଳିମାନେ ମେ ୩୦ରେ ନିଜ ପଦକ ହରିଦ୍ୱାରର ଗଙ୍ଗା ନଦୀରେ ଭସାଇବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ କୃଷକ ନେତାମାନେ ତାଙ୍କୁ ଏପରି ପଦକ୍ଷେପ ନ ନେବାକୁ କହିବା ପରେ ସେମାନେ ଏଥିରୁ ଓହରିଥିଲେ ।