ବଢ଼ୁଛି ନୁପୂର ଶର୍ମାଙ୍କ ଅଡ଼ୁଆ, ପ୍ରଫେଟ୍ ମହମ୍ମଦ ବିରୋଧୀ ମନ୍ତବ୍ୟ ନେଇ ସମନ କଲା ମହାରାଷ୍ଟ୍ର ପୋଲିସ | News Room Odisha

ବଢ଼ୁଛି ନୁପୂର ଶର୍ମାଙ୍କ ଅଡ଼ୁଆ, ପ୍ରଫେଟ୍ ମହମ୍ମଦ ବିରୋଧୀ ମନ୍ତବ୍ୟ ନେଇ ସମନ କଲା ମହାରାଷ୍ଟ୍ର ପୋଲିସ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ନେଇ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଦଳରୁ ନିଲମ୍ବିତ ହେବା ପରେ ଏବେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି । ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ନେଇ ମହାରାଷ୍ଟ୍ର ଥାନେ ଜିଲ୍ଲାର ମୁମ୍ବ୍ରା ପୋଲିସ ନୁପୂର ଶର୍ମାଙ୍କୁ ସମନ ଜାରି କରିଛି । ଜୁନ୍ ୨୨ରେ ନୁପୂରଙ୍କୁ ହାଜର ହେବାକୁ କୁହାଯାଇଛି । ମହମ୍ମଦ ବିରୋଧୀ ମନ୍ତବ୍ୟ ପାଇଁ ମହାରାଷ୍ଟ୍ରର ମୁମ୍ବ୍ରା, ଥାନେ ଏବଂ ପାଇଧୋନିରେ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ନିକଟରେ ଏକ ଟିଭି ବିତର୍କ ସମୟରେ ନୁପୂର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ଆରବ ଦେଶ ଗୁଡିକ ମଧ୍ୟ ନୁପୂରଙ୍କ ମନ୍ତବ୍ୟକୁ ନିନ୍ଦା କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଥିଲେ । ଆରବ ଜଗତରେ ତୀବ୍ର ପ୍ରତିକ୍ରିୟା ପରେ ବିଜେପି ନୁପୂର ଶର୍ମାଙ୍କୁ ନିଲମ୍ବିତ କରିଥିଲା ।

ମୁମ୍ବାଇର ପାଇଧୋନିରେ ନୁପୂର ଶର୍ମାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ ହୋଇଛି। ତାଙ୍କ ବିରୋଧରେ ମୁସଲିମ ସଂଗଠନ ରାଜା ଏକାଡେମୀ ଏହି ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ମହମ୍ମଦ ଗୁଫ୍ରାନ ଖାନ୍ ନାମକ ଜଣେ ଶିକ୍ଷକ ମୁମ୍ବ୍ରାରେ ନୁପୂର ଶର୍ମାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଆଇପିସିର ଧାରା ୧୫୩-ଏ, ୧୫୩ ବି, ୨୯୫ଏ, ୨୯୮ ଏବଂ ୫୦୫ ଅନୁଯାୟୀ ନୁପୂରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାଛଡ଼ା ଥାନାରେ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ, ନୁପୂର ଶର୍ମାଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ତାଙ୍କୁ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେଇଛି। ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେବା ପରଠାରୁ ତାଙ୍କୁ ଓ ତାଙ୍କ ପରିବାରକୁ ଲଗାତାର ହତ୍ୟା ଧମକ ମିଳୁଛି ବୋଲି ନୁପୂର ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏବେ ନୁପୁର ଶର୍ମା ଏବଂ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି କରିବାକୁ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେଇଛି।