ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କମିନ୍ସ ହେଲେ ସନରାଇଜର୍ସ ହାଇଦ୍ରାବାଦର ନୂଆ କ୍ୟାପଟେନ୍

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ ଅଧିନାୟକ ପ୍ୟାଟ୍ କମିନ୍ସ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲ୍ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେବେ। ସୋମବାର ଫ୍ରାଞ୍ଚାଇଜ୍ ଏହି ଘୋଷଣା କରିଛି। ୨୦୨୩ ସିଜନରେ ଦଳର ନେତୃତ୍ୱ ନେଇଥିବା ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଏଡେନ ମାର୍କ୍ରାମଙ୍କ ସ୍ଥାନ ନେବେ କମିନ୍ସ। ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଆଇପିଏଲ୍ ନିଲାମରେ ସନରାଇଜର୍ସ ଏହି ୩୦ ବର୍ଷୀୟ ଦ୍ରୁତ ବୋଲରଙ୍କୁ ୨୦.୫୦ କୋଟିରେ କିଣିଥିଲା । ଆଇପିଏଲ ନିଲାମରେ ସର୍ବାଧିକ ମୂଲ୍ୟରେ [...]

Admin•ମାର୍ଚ୍ଚ 4, 2024
Share Article:

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ ଅଧିନାୟକ ପ୍ୟାଟ୍ କମିନ୍ସ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲ୍ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେବେ। ସୋମବାର ଫ୍ରାଞ୍ଚାଇଜ୍ ଏହି ଘୋଷଣା କରିଛି। ୨୦୨୩ ସିଜନରେ ଦଳର ନେତୃତ୍ୱ ନେଇଥିବା ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଏଡେନ ମାର୍କ୍ରାମଙ୍କ ସ୍ଥାନ ନେବେ କମିନ୍ସ।

ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଆଇପିଏଲ୍ ନିଲାମରେ ସନରାଇଜର୍ସ ଏହି ୩୦ ବର୍ଷୀୟ ଦ୍ରୁତ ବୋଲରଙ୍କୁ ୨୦.୫୦ କୋଟିରେ କିଣିଥିଲା । ଆଇପିଏଲ ନିଲାମରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଖେଳାଳି ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

କମିନ୍ସ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ଆଇପିଏଲ୍ ଖେଳିଛନ୍ତି। ତେବେ ସେ ପ୍ରଥମ ଥର ଏକ ଆଇପିଏଲ୍ ଦଳର ଅଧିନାୟକ ହେବେ। ଟି-୨୦ କ୍ରିକେଟର ଶୀର୍ଷ ସ୍ତରରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ନଥିଲେ ମଧ୍ୟ ଆଗାମୀ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କ ଉପରେ ଭରସା କରି ଏହି ବଡ଼ ଦାୟିତ୍ଵ ଦେଇଛି ‌‌।

ଅଷ୍ଟ୍ରେଲିଆ ଅଧିନାୟକ ଭାବେ କିନ୍ତୁ କମିନ୍ସ ବିପୁଳ ସଫଳତା ହାସଲ କରିଛନ୍ତିି। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଏବଂ ୨୦୨୩ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତକୁ ହରାଇ ଟାଇଟଲ୍ ଜିତିଥିଲା ଅଷ୍ଟ୍ରେଲିଆ ।

କମିନ୍ସ ଏପର୍ଯ୍ୟନ୍ତ ଆଇପିଏଲରେ ୪୨ଟି ମ୍ୟାଚ୍ ଖେଳି ୪୫ ୱିକେଟ୍ ନେଇଥିବା ବେଳେ ୩୭୯ ରନ୍ କରିଛନ୍ତି ।

୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ କମିନ୍ସ ଆଇପିଏଲରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ସେ ୨୦୧୭ରେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିବା ପରେ କିଛି ବର୍ଷ ପାଇଁ ଆଇପିଏଲରୁ ଓହରି ଯାଇଥିଲେ । କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୦ ନିଲାମରେ କମିନ୍ସଙ୍କୁ ୧୫.୫୦ କୋଟିରେ କିଣିଥିଲା। ସେ କୋଲକାତା ସହିତ ୨୦୨୨ ପର୍ଯ୍ୟନ୍ତ ଖେଳିଥିଲେ । ଆନ୍ତର୍ଜାତୀୟ କ୍ରିକେଟ୍ ଉପରେ ଧ୍ୟାନ ଦେବା ପାଇଁ କମିନ୍ସ ୨୦୨୩ ଆଇପିଏଲରେ ଅଂଶଗ୍ରହଣ କରିନଥିଲେ।

ସେ ୨୦୨୪ ସିଜନ ପାଇଁ ନିଲାମରେ ଭାଗ ନେଇଥିଲେ ଓ ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ୨୦ କୋଟି କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ । ତେବେ ସେହି ନିଲାମରେ ହିଁ କମିନ୍ସଙ୍କ ସାଥି ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ତାଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ । କୋଲକାତା ନାଇଟ୍ ରାଇଡର୍ସ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଥିଲା।

#Odia#Odisha#News
Share Article:

Related Articles